ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ‘ନିଆଁ ବହି ଜାଳିପାରେ କିନ୍ତୁ ଜ୍ଞାନ ନୁହେଁ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି । ଆଜି ନୂଆ କ୍ୟାମ୍ପସ୍ ଉଦଘାଟନ କରିବା ସହ ନାଳନ୍ଦାର ଧ୍ୱଂସାବଶେଷକୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନାଳନ୍ଦା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୧୦ ମାଧ୍ୟମରେ ସ୍ଥାପିତ କରାଯାଇଥିଲା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ଗଛ ଲଗାଇଥିବା ସହିତ ନାଳନ୍ଦା ବିଶ୍ୱ ବିଦ୍ୟାଳୟର ପ୍ରଶଂସା କରିଛନ୍ତି । ନାଳନ୍ଦା ଭାରତୀୟ ପରମ୍ପରା ଏବଂ ପରିଚୟର କେନ୍ଦ୍ର ଥିଲା । ଶିକ୍ଷାକୁ ନେଇ ଭାରତ ଉଚ୍ଚ ଚିନ୍ତାଧାରା ରଖିଛି । ଶିକ୍ଷା ଆମକୁ ଗଢୁଛି, ଆମକୁ ବିଚାର ଶକ୍ତି ଦେଉଛି । ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ । ନାଳନ୍ଦା ହେଉଛି ଏକ ପରିଚୟ । ନାଳନ୍ଦାର ଏହି ନୂତନ କ୍ୟାମ୍ପସରେ ଆମକୁ ପୁଣି ଥରେ ସେହି ପ୍ରାଚୀନ ପ୍ରଣାଳୀକୁ ଆଧୁନିକ ରୂପରେ ମଜଭୁତ କରିବାକୁ ହେବ । ମୁଁ ଖୁସି ଯେ ଆଜି ବିଶ୍ୱର ଅନେକ ଦେଶରୁ ଅନେକ ଛାତ୍ର ଏଠାକୁ ଆସୁଛନ୍ତି ।

ନୂଆ କ୍ୟାମ୍ପସ ୪୫୫ ଏକର ଜମିରେ ୧୭୪୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ୪୦ କ୍ଲାସରୁମରେ ଏବେ ମୋଟ୍ ୧୮୯୦ ଛାତ୍ରଛାତ୍ରୀ ପାଠ ପଢ଼ିବେ । କ୍ୟାମ୍ପସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏବେ ଯାଏଁ ୨୦ରୁ ଅଧିକ ରାଷ୍ଟ୍ରର ଅନେକ ଛାତ୍ରଛାତ୍ରୀ ନାଳନ୍ଦାରେ ଆଡମିଶନ୍ ନେଲେଣି । ଆମେରିକା, ଇଣ୍ଡୋନେସିଆ, ଭୁଟାନ, ଆର୍ଜେଣ୍ଟିନା, ଥାଇଲାଣ୍ଡ, ତୁର୍କି ଭଳି ଦେଶର ଛାତ୍ରଛାତ୍ରୀ ଏଥିରେ ରହିଛନ୍ତି । ସମ୍ପୂର୍ଣ୍ଣ କ୍ୟାମ୍ପସ୍ ନେଟ୍ ଜିରୋ ଏରିଆ ଅର୍ଥାତ ଗ୍ରୀନ ହାଉସ୍ ଇଫେକ୍ଟ ନଥିବା ଅଞ୍ଚଳ ଭାବେ ନିର୍ମାଣ କରାଯାଇଛି । ୪୫୫ ଏକର କ୍ୟାମ୍ପସର ୧୦୦ ଏକର ଜମିରେ ପୋଖରୀ ତଥା ଜଳ ସଞ୍ଚୟ ପାଇଁ ବ୍ୟବସ୍ଥା ହୋଇଛି । ବିଶ୍ୱବିଦ୍ୟାଳୟରେ ବିଦେଶ ଛାତ୍ରଛାତ୍ରୀଙ୍କ ପାଇଁ ୧୩୭ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ।

ଉଦ୍‌ଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିହାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ଡୋନେସିଆ, ଲାଓସ୍, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ଏବଂ ଭିଏତନାମ ସମେତ ସମୁଦାୟ ୧୭ ଟି ଦେଶରୁ ବିଦେଶୀ ଦୂତମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.