ନୂଆଦିଲ୍ଲୀ : ମୋଦିଙ୍କ ହ୍ୟାଟ୍ରିକ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ନେହରୁଙ୍କ ପରେ ଦ୍ବିତୀୟ ରାଜନେତା ଭାବେ ଏହି ଗୌରବ ହାସଲ କରିବେ । ଏନଡିଏକୁ ୨୯୩ ସିଟ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ମିଳିଛି ୨୩୨ ସିଟ୍ । ଏନଡିଏର ହାଟ୍ରିକ ବିଜୟ ପରେ ବିଜେପିର ନୂଆଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ଦଳ । ପ୍ରଧାନମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜୟକୁ ବିଶ୍ବର ସବୁଠାରୁ ବୃହତ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି ମୋଦି । ସବକା ସାଥ ସବକା ବିକାଶ ମନ୍ତ୍ରର ବିଜୟ । ୧୪୦ କୋଟି ଦେଶବାସୀଙ୍କ ବିଜୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ପ୍ରଥମ ଥର ପାଇଁ କୌଣସି ମେଣ୍ଟ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବୋଲି କହିଛନ୍ତି ବିଜେପି ସଭାପତି ଜେପି ନଡ୍ଡା ।
ଅନ୍ୟପଟେ ଏହି ନିର୍ବାଚନରେ ଅନେକ ସ୍ଥାନରେ ବିଜେପିକୁ ବଡ଼ ଝଟକା ଲାଗିଛି । ୪୦୦ ପାର୍ ନାରା ଦେଇଥିଲା ବିଜେପି । କିନ୍ତୁ ୩୭୦ ଟପି ପାରିଲାନି ଏନଡିଏ ମେଣ୍ଟ । ଉତ୍ତର ପ୍ରଦେଶରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଉତ୍ତର ପ୍ରଦେଶରେ ଏନଡିଏ ମେଣ୍ଟ ଠାରୁ ଇଣ୍ଡିଆ ମେଣ୍ଟକୁ ବହୁ ଅଧିକ ଆସନ ମିଳିଛି । ସେହିଭଳି ପଶ୍ଚିମବଙ୍ଗରେ ଅଧିକ ସିଟ୍ ନେବ ବୋଲି ଦାବି କରିଥିଲା ବିଜେପି । କିନ୍ତୁ ୨୦୧୯ ସଂଖ୍ୟାକୁ ମଧ୍ୟ ବଜାୟ ରଖି ପାରିଲାନି। ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଇଣ୍ଡିଆ ମେଣ୍ଟ ଭଲ ପ୍ରଦର୍ଶନ କରିଛି। ଏନଡିଏକୁ ଭଲ ଆସନ ଦେଇନି ମହାରାଷ୍ଟ୍ର ।