ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ତାରିଖରେ ପରିବର୍ତ୍ତନ, ୮ ନୁହେଁ ୯ରେ ନେବେ ଶପଥ !

ମୋଦି ସରକାର ତୃତୀୟଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି । ପୂର୍ବରୁ ଶନିବାର ଜୁନ୍ ୮ରେ ଶପଥ ନେବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଏବେ ଜୁନ୍ ୮ ବଦଳରେ ଜୁନ୍ ୯ ତାରିଖରେ ମୋଦି ଶପଥ ନେବେ । ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ପାଇଁ ଅନୁମତି ଦେବା ପରେ ଦଳ ପକ୍ଷରୁ ଶପଥ ଉତ୍ସବ ଜୁନ୍ ୮ ନେଇ ଘୋଷଣା ହୋଇଥିଲା । ଶନିବାର ନୁହେଁ, ରବିବାର ନରେନ୍ଦ୍ର ମୋଦି ଶପଥ ନେଇପାରନ୍ତି।
ସୂଚନା ଅନୁସାରେ, ଏନଡିଏ ସହଯୋଗୀ ଦଳ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଉତ୍ସବ ତାରିଖ ପରିବର୍ତ୍ତନ କରାଯିବା ପରେ ଏହି ଖବର ସାମ୍ନାକୁ ଆସିଛି । ଚନ୍ଦ୍ରବାବୁ ନାଇଡୁ ଶନିବାର ଶପଥ ନେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପରେ ଜୁନ୍ ୧୨କୁ ଦିନ ଧାର୍ଯ୍ୟ କରାଯାଇଛି ।
ମୋଦି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବ ପାଇଁ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦିଆଗଲାଣି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ୱିକ୍ରମ ସିଂଘେଙ୍କୁ ନିମନ୍ତ୍ରଣ କରାଯାଇଛି । ଭୁଟାନ, ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୨୦୧୯ରେ BIMSTEC ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାଛଡା ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ହେମା ମାଳିନୀ, କଙ୍ଗନା ରଣାଓ୍ଵତ, ଅରୁଣ ଗୋଭିଲ, ରଜନୀକାନ୍ତ, କରନ ଜୋହର, ଅନିଲ କପୁର, ଅନୁପମ ଖେର, ବୋନି କପୁର ଏବଂ ଜିତେନ୍ଦ୍ର ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି ।
ତେବେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ ଏବଂ ମାଳଦ୍ୱୀପର ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ ।
କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସହ ରେକର୍ଡ କରିବାକୁ ଯାଉଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ।