ମହାକାଶ ବିଜ୍ଞାନରେ ନୂଆ ଇତିହାସ ! ସୂର୍ୟ୍ୟ ନିକଟକୁ ଅନ୍ତରୀକ୍ଷ ଯାନ ପଠାଇବ ନାସା

ନୂଆଦିଲ୍ଲୀ : ସୂର୍ୟ୍ୟରେ ପାଦ ରଖିବ ନାସା । ଏଥିପାଇଁ ନିଜର ପ୍ରଥମ ମିଶନକୁ ସୂର୍ୟ୍ୟ ପର୍ୟ୍ୟନ୍ତ ପଠାଇବା ପାଇଁ ପ୍ରସ୍ତୁତି କରୁଛି ନାସା । ଏକ କାର୍ ଆକାରର ଏହି ଅନ୍ତରୀକ୍ଷ ଯାନ ସୂର୍ୟ୍ୟଙ୍କ ପୃଷ୍ଠ ଭାଗଠାରୁ ୪୦ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହା ପୂର୍ବରୁ କୌଣସି ଅନ୍ତରୀକ୍ଷଯାନ ଏତେ ଉତ୍ତାପ ଏବଂ ପ୍ରକାଶର ସାମ୍ନା କରିନାହିଁ ।

ପାର୍କର ସୋଲାର ପ୍ରୋବ ଅଗଷ୍ଟ ୬ରେ ୟୁନାଇଟେଡ୍ ଲଂଚ୍ ଏଲାଏନ୍ସ୍ ଡେଲ୍ଟା ୪ରୁ ମହାକାଶ ଅଭିମୁଖେ ଯାତ୍ରା କରିବ । ଏପର୍ୟ୍ୟନ୍ତ ମଣିଷ ଦ୍ବାରା ନିର୍ମିତ ହୋଇଥିବା ସମସ୍ତ ଯାନ ତୁଳନାରେ ସୂର୍ୟ୍ୟକୁ ଅତି ନିକଟରୁ ଅଧ୍ୟୟନ କରିବ ଏହି ଅନ୍ତରୀକ୍ଷ ଯାନ । ଏହି ମିଶନ ପରେ ସେମାନେ କେତେ ସଫଳ ହୋଇଛନ୍ତି ତାହା ଜଣାପଡିବ ବୋଲି କହିଛନ୍ତି ଆମେରିକା ନାସାର ଗୋଡାର୍ଡ୍ ସ୍ପେସ ଫ୍ଲାଇଟ ସେଂଟରର ହାଲିୟୋଫିଜିକ୍ସ୍ ଡିଭିଜନର ସହଯୋଗୀ ନିର୍ଦ୍ଦେଶକ ଆଲେକ୍ସ୍ ଜଙ୍ଗ । କାରଣ ବିଗତ ବିଗତ ଦଶନ୍ଧି ଧରି ସେମାନେ ସୂର୍ୟ୍ୟ ଉପରେ ଅଧ୍ୟୟନ କରୁଛନ୍ତି ।

ଆମେ ଖାଲି ଆଖିରେ ଦେଖୁଥିବା ସୂର୍ୟ୍ୟ ତୁଳନାରେ ପ୍ରକୃତ ସୂର୍ୟ୍ୟ ବହୁତ ଜଟିଳ । ମନୁଷ୍ୟ ଆଖିରେ ତେଣିକି ଏହା ଏକ ସ୍ଥାୟୀ ଏବଂ ପରିବର୍ତ୍ତନ ହେଉନଥିବା ଏକ ଗୋଲ ଭଳି ଦେଖାଯାଉଥିବା ବେଳେ ପ୍ରକୃତରେ ଏହା ଏକ ଗତିଶୀଳ ଏବଂ ଚୁମ୍ବକୀୟ ଢଙ୍ଗ ଦ୍ୱାରା ସକ୍ରିୟ ନକ୍ଷତ୍ର ।