ଅବସର ନେବ ନାସାର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ! ୨୦୩୦ ଶେଷରେ ଏହି ସ୍ଥାନରେ ହେବ କ୍ରାଶ୍‌; ଜାଣନ୍ତୁ କାହିଁକି ଏମିତି ଯୋଜନା କଲା NASA

ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ନିଜର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଅବସର କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ୨୦୩୧ରେ ପ୍ରଶାନ୍ତ ମହାସାଗରରେ ପଏଣ୍ଟ ନିମୋ କୁହାଯାଉଥିବା ଏକ ସ୍ଥାନରେ ପକାଇବାକୁ ଯୋଜନା କରାଯାଇଛି। ନାସାର ଏକ ପ୍ରେସ ରିଲିଜ୍‌ରେ ଦିଆଯାଇଥିବା ସୂଚନା ମୁତାବକ, ୨୦୩୦ ଶେଷରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଅବସର ଦିଆଯିବ। ଅର୍ଥାତ୍‌ ଏହାକୁ ଧ୍ୱଂସ କରି ଦିଆଯିବ। ଏହାକୁ ପ୍ରଶାନ୍ତ ମହାସାଗରର ପଏଣ୍ଟ ନିମୋ ନାମକ ଅଞ୍ଚଳରେ ପକାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

ନାସା ଏକ ବଡ଼ ଘୋଷଣା କରି କହିଛି ଯେ ଆଗାମୀ ତିନି ଦଶକ ପରେ ଭବିଷ୍ୟତର ମହାକାଶ ଯାତ୍ରାଗୁଡ଼ିକୁ ଘରୋଇ କ୍ଷେତ୍ର ସଞ୍ଚାଳନ କରିବ। ନାସା ଏହି ପରିବର୍ତ୍ତନରେ ସହଯୋଗ କରି ଚାଲିବ। ନାସାର ଡାଇରେକ୍ଟର ଅଫ୍‌ କମର୍ସିଆଲ ସ୍ପେସ୍‌ ଫିଲ ମ୍ୟାକଏଲିଷ୍ଟର କହିଛନ୍ତି କି, ଟେକ୍ନିକାଲ୍ ଏବଂ ଆର୍ଥିକ ଦୃଷ୍ଟିରୁ ଘରୋଇ କ୍ଷେତ୍ର ନାସା ସହାୟତାରେ ପୃଥିବୀର ନିମ୍ନ କକ୍ଷପଥରେ ଅଭିଯାନଗୁଡ଼ିକୁ ପଠାଇବାରେ ସକ୍ଷମ। ନାସା ମହାକାଶରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ସ୍ୱଳ୍ପ ମୂଲ୍ୟରେ ଅଭିଯାନଗୁଡ଼ିକୁ ପଠାଇବାରେ ଘରୋଇ କ୍ଷେତ୍ରକୁ ସାହାଯ୍ୟ କରିବ। ଏଥିଲାଗି ସେ ନିଜର ଜ୍ଞାନ ଏବଂ ଅନୁଭବ ଘରୋଇ କ୍ଷେତ୍ର ସହିତ ସେୟାର କରିବା ପାଇଁ ପ୍ରସ୍ତୁତ ଅଛି।

ନାସା ନିଜ ବୟାନରେ କହିଛି ଯେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ୨୦୩୦ ସୁଦ୍ଧା ମହାକାଶ ଷ୍ଟେଶନର ସଞ୍ଚାଳନକୁ ସମର୍ଥନ କରିଥିଲା ଏବଂ ଏବେ ସ୍ପେସ୍ ଷ୍ଟେସନ ପୂର୍ବ ଅପେକ୍ଷା ଅଧିକ ବ୍ୟସ୍ତ ଅଛି। ସରକାରୀ ଏଜେନ୍ସିଗୁଡ଼ିକ ଚନ୍ଦ୍ରକୁ ପ୍ରଥମ ମହିଳା ଏବଂ ଅଶ୍ୱେତ ମଣିଷକୁ ପଠାଇବା ପାଇଁ ଜରୁରୀ ଟେକ୍ନୋଲୋଜି ବିକଶିତ କରିବାରେ ଏହାକୁ ବ୍ୟବହାର କରୁଛନ୍ତି। ନାସା ମୁଖ୍ୟାଳୟର ମହାକାଶ ଷ୍ଟେସନ ନିର୍ଦ୍ଦେଶକ ରବିନ୍ ଗ୍ୟାଣ୍ଟେସ୍‌ କହିଛନ୍ତି, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ମାଇକ୍ରୋଗ୍ରାଭିଟିରେ ଏକ ଅଦ୍ଭୁତପୂର୍ବ ବୈଜ୍ଞାନିକ ପ୍ଲାଟଫର୍ମ ରୂପେ ନିଜର ତୃତୀୟ ତଥା ସର୍ବାଧିକ ପ୍ରଡକ୍ଟିଭ ଦଶକରେ ପ୍ରବେଶ କରୁଛି।

ସୂଚନାଥାଉ କି, ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପ୍ରଥମ ଥର ନଭେମ୍ବର ୧୯୯୮ରେ ଲଞ୍ଚ୍‌ କରାଯାଇଥିଲା ଏବଂ ଏହା ୧୦୦,୦୦୦ରୁ ଅଧିକ ଥର ପୃଥିବୀ ପରିକ୍ରମା କରିଛି। ନାସାର ଯୋଜନା ଅନୁଯାୟୀ, ୨୦୨୬ ଅକ୍ଟୋବରରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପୁଣି ପୃଥିବୀ ଆଡ଼କୁ ନିଜର ଯାତ୍ରା ଆରମ୍ଭ କରିବ ଏବଂ ଜାନୁଆରୀ ୨୦୩୧ରେ ପଏଣ୍ଟ ନିମୋରେ ଧ୍ୱଂସ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.