ଭାରତ ହରାଇଲା ରତ୍ନ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ

ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ପଦ୍ମ ବିଭୂଷଣ ରତନ ଟାଟା । ଜଣେ ରତ୍ନଙ୍କୁ ହରାଇଛି ଭାରତ। ୮୬ ବର୍ଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ରତନ ନାଭାଲ ଟାଟା । ବୟସାଧିକ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରତନ ଟାଟା । କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଚାଲିଗଲେ ରତନ ଟାଟା । କୋଟି କୋଟି ଭାରତୀୟଙ୍କ ହୃଦୟରେ ଜଣେ ଉଦାରବାଦୀ ମଣିଷ, ଜଣେ ବିଜନେସ୍‌ ଟାଇକୁନ, ଜଣେ ପ୍ରକୃତ ସମାଜସେବୀ ଭାବେ ଛାପ ଛାଡିଗଲେ ରତନ ଟାଟା । ତାଙ୍କ ପରଲୋକରେ ଭାରତୀୟ ଶିଳ୍ପ ଜଗତରେ ଅପୂରଣୀୟ କ୍ଷତି ଘଟିଛି। ରତନ ଟାଟା କେବଳ ଜଣେ ବିଶିଷ୍ଟ ଶିଳ୍ପପତି ନୁହନ୍ତି, ଜଣେ ପ୍ରେରଣାଦାୟୀ ବଦାନ୍ୟ ବ୍ୟକ୍ତି। ତାଙ୍କ ପରଲୋକରେ କେବଳ ଶିଳ୍ପ ଜଗତ ନୁହେଁ, ସାରା ଦେଶ ମ୍ରିୟମାଣ।

ସୂଚନା ଅନୁସାରେ ଅକ୍ଟୋବର ୭ ତାରିଖ ଦିନ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଗୁରୁତର ଅସୁସ୍ଥ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ରତନ ଟାଟାଙ୍କୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ଚିକିତ୍ସାଧୀନ ଥିବା ସୂଚନା ମିଳିଥିଲା । ସୋମବାର ରତନ ଟାଟା ମୁମ୍ବାଇ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ । ୮୬ ବର୍ଷୀୟ ରତନ ଟାଟା ରକ୍ତଚାପ ଓ ଅନ୍ୟାନ୍ୟ ବୟସଗତ ରୋଗରେ ପୀଡିତ ଥିବା ଜଣାପଡିଥିଲା ।

ଅନ୍ୟପଟେ ବିଶିଷ୍ଟ ଶିଳ୍ପପତି ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଟ୍ବିଟ୍ କରି ସମବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ସେ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୧୯୬୨ ରେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ରତନ ଟାଟା ଆମେରିକାରେ କିଛି ସମୟ କାମ କରିଥିଲେ। ୧୯୮୧ମସିହାରେ ତାଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ କରାଯାଇଥିଲା। ୧୯୯୧ରେ ଜେଆରଡି ଟାଟାଙ୍କ ଅବସର ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୨ରେ ତାଙ୍କ ଅବସର ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୯୯୬ମସିହାରେ ଟାଟା ଟେଲିସର୍ଭିସେସ୍ ପ୍ରତିଷ୍ଠା କରିଥିଲେ, ଯାହା ଫଳରେ ଟେଲିକମ୍ କ୍ଷେତ୍ରରେ ଏହି ଗ୍ରୁପ୍‌ର ସମ୍ପ୍ରସାରଣ ହୋଇଥିଲା। ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟ୍ଲି, କୋରସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନିକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ଘରୋଇ କମ୍ପାନିରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲେ।