କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣା : ଦେଶବ୍ୟାପୀ ଆନ୍ଦୋଳନ ଜାରି, ଆଜି ମଧ୍ୟ ଓପିଡି ସେବା ବନ୍ଦ

କୋଲକତା ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଫେଡେରେସନ ଅଫ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ(ଏଫଏଆଇଏମଏ) ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ସମସ୍ତ ମେଡିକାଲରେ OPD ସେବା ବନ୍ଦ ରଖିବାକୁ ଡାକରା ଦେଇଛି ଫେଡେରେସନ । ତେବେ ଏହି ମାମଲାରେ ଡାକ୍ତରମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ଦାବି କରିଛନ୍ତି । ଏହାସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସେପଟେ ଓପିଡି ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଆନ୍ଦୋଳନ ଯୋଗୁଁ ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଚିକିତ୍ସା ପ୍ରଭାବିତ ହୋଇଛି । ପୀଡ଼ିତ ପରିବାରକୁ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ସହିତ ଡାକ୍ତରଙ୍କ ସୁରକ୍ଷା ଆଦି ଦାବିରେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ପୋଲିସ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି ଘଟଣାର ଖୋଳତାଡ ଚଳାଇଛି । ଅପରପକ୍ଷେ ଘଟଣାର ସିବିଆଇ ତଦନ୍ତ ଦାବି ଉଠୁଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପୋଲିସ ତଦନ୍ତରେ ବିଫଳ ହେଲେ ମାମଲା ସିବିଆଇକୁ ଦିଆଯିବ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି  । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଛି ପୋଲିସ । ଯେଉଁଥିରୁ ଅଶ୍ଲୀଳ ଭିଡିଓ ମିଳିଥିବା ସୂଚନା ମିଳିଛି । ତଦନ୍ତ ବେଳେ ପୋଲିସ ମେଡିକାଲ କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.