ବାଂଲାଦେଶର ସ୍ଥିତି ବର୍ତ୍ତମାନ ଜଟିଳ ରହିଛି । ଏହାରି ମଧ୍ୟରେ ନଭି ମୁମ୍ବାଇ ପୋଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି । ଏହି ବାଂଲାଦେଶୀମାନଙ୍କୁ ନଭି ମୁମ୍ବାଇର କୋପରଖେରନେ ଅଞ୍ଚଳରୁ ଗିରଫ କରାଯାଇଛି ।
ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ କରି ନଭି ମୁମ୍ବାଇରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ସେମାନେ ବେଆଇନ ଭାବେ କୋପରଖେରନେ ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ମହିଳା ଏବଂ ଜଣେ ପୁରୁଷ ।
ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ପରେ ମଧ୍ୟ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି । ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଅନ୍ତରୀଣ ସରକାର ଦୃଢ଼ ନିନ୍ଦା କରିଛନ୍ତି । ବାଂଲାଦେଶରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଅନେକ ଦିନରୁ ଜାରି ରହିଥିବା ହିଂସା ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।
ଏହାରି ମଧ୍ୟରେ ସେନା ଗାଡ଼ି ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୋପାଳଗଞ୍ଜ ଅଞ୍ଚଳରେ ପ୍ରଦର୍ଶନକାରୀ ଯବାନମାନଙ୍କ ଉପରେ ଆକ୍ରମଣ କରିଥିବା ଖବର ରହିଛି । ଢାକା ଟ୍ରିବ୍ୟୁନ୍ର ରିପୋର୍ଟ ମୁତାବକ, ଏହି ଘଟଣାରେ ଯବାନ, ସାମ୍ବାଦିକ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି ।
ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଆଓ୍ଵାମୀ ଲିଗ୍ର ହଜାର ହଜାର କର୍ମୀ ଯେତେବେଳେ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା । ପ୍ରଦର୍ଶନକାରୀ ଢାକା-ଖୁଲନା ରାଜପଥ ଅବରୋଧ କରି ହସିନାଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି କରିଥିଲେ ।