ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନି, ୧୨ ତାରିଖରେ ନେବେ ଶପଥ

ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ ମାରିଛି ବିଜପେି । ବିଧାନସଭା ନିର୍ବାଚନରେ ବିଜେପି ଲଗାତର ତୃତୀୟ ଥର ପାଇଁ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ପରେ ଏଠାରେ ଏବେ ଆରମ୍ଭ ହୋଇଯାଇଛି ନୂଆ ସରକାର ଗଠନ ପ୍ରସ୍ତୁତି । କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ଅନେକ କଳ୍ପନା ଜଳ୍ପନା । ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂ ସୈନି । ଆସନ୍ତା ୧୨ ତାରିଖ ଦିନ ଶପଥ ନେବେ ସୈନି ।

ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ ପରେ ଆଗାମୀ ସରକାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସୈନି ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ବରିଷ୍ଠତା ଆଧାରରେ ପୂର୍ବତନ ଗୃହ ସଚିବ ଅନିଲ ବିଜ ଓ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ହରିୟାଣା ବିଜେପି ଅଧ୍ୟକ୍ଷ ଏବଂ ନାୟବ ସିଂ ସୈନି ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଦଶହରା ଦିନ ଶପଥ ନେବେ ହରିୟାଣାର ମୁଖ୍ୟମନ୍ତ୍ରୀ । ତାଙ୍କ ସହ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି । ଏହା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବ।

ସେପଟେ ନୂଆ ସରକାରର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଆରମ୍ଭ ହୋଇଗଲାଣି ରେସ । ନିର୍ବାଚନ ଫଳାଫଳ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦିଲ୍ଲୀ ବାସଭବନରେ ଅନକେ ନେତାଙ୍କ ଭିଡ଼ ଜମିଛି । ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସହ ପ୍ରଭାରୀ ବିପ୍ଳଦ ଦେବ ମନୋହର ଲାଲଙ୍କ ସହିତ ବସି ପ୍ରସ୍ତୁତ କରିଛନ୍ତି ରଣନୀତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାରେ ବିଜୟ ପରେ ପାର୍ଟି କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହରିୟାଣା ରାଜ୍ୟ ବିଜେପି ଲଗାତାର ୩ ଥର ଜିତି ଇତିହାସ ରଚିଛି । ଏହା ସହିତ ମୋଦି କଂଗ୍ରେସକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like