ନୂଆଦିଲ୍ଲୀ : ଆଜି ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂ ସୈନି । ଲଗାତାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନାୟବ ସିଂ ସୈନି। ସକାଳ ୧୦ଟାରେ ପଞ୍ଚକୁଲାର ଦଶହରା ପଡ଼ିଆରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବରିଷ୍ଠ ନେତା ଏଥିରେ ଯୋଗ ଦେବେ । ୪୮ ସିଟ୍ ରେ ବିଜୟ ସହ କ୍ରମାଗତ ତୃତୀୟ ଥର ପାଇଁ ସରକାରକୁ ଫେରିଛି ବିଜେପି।
ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ସୈନିଙ୍କୁ ସର୍ବସମ୍ମତରେ ନେତା ନିର୍ବାଚନ କରାଯାଇଥିଲା। ବିଜେପି ହରିଆନା ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ସହ ପ୍ରଭାରୀ ବିପ୍ଲବ ଦେବ, ପର୍ଯ୍ୟବେକ୍ଷକ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବୈଠକରେ ଉପସ୍ଥିତ ଥିଲେ। ପୁଣି ଥରେ ତାଙ୍କ ଉପରେ ଭରସା କରିଥିବାରୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ସୈନି। ହରିଆଣାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେହିପରି ବୈଠକ ପାଇଁ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପିର ଅନିଲ ବିଜ ଏବଂ ରାଓ ଇନ୍ଦରଜିତ ସିଂ ମଧ୍ୟ ସିଏମ ପଦ ପାଇଁ ଦାବି କରିଥିଲେ ।