ଆଜିଠୁ ୬୦ ଟଙ୍କାରେ କିଲେ ଟମାଟୋ ବିକିବେ ସରକାର, ଆରମ୍ଭ ହେଲା ମେଗା ସେଲ୍‌

ଦେଶରେ ଲଗାଣ ବର୍ଷା ଯୋଗୁ ପୁଣି ସବୁଜ ପନିପରିବାର ଦାମ୍‌ ଆକାଶଛୁଆଁ ହୋଇଛି । ବିଶେଷ କରି ଟମାଟୋ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦେଶର ଅଧିକାଂଶ ଭାଗରେ ଟମାଟୋର ମୂଲ୍ୟ ପ୍ରତି କିଲୋଗ୍ରାମ ୧୦୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଟମାଟୋର ମୂଲ୍ୟ ବୃଦ୍ଧି ଭିତରେ ସରକାର ପୁଣି ଥରେ ଶସ୍ତା ଦରରେ ଟମାଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଜୁଲାଇ ୨୯ରୁ ସରକାର ଷ୍ଟଲ ପକାଇ ଶସ୍ତା ଦାମ୍‌ରେ ଟମାଟୋ ବିକ୍ରି କରିବେ ।

ଗତ କିଛି ଦିନ ଧରି ବର୍ଷା ଲାଗି ରହିବାରୁ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା, ଯେଉଁ କାରଣରୁ ଟମାଟୋ ମୂଲ୍ୟ ବଢ଼ିଯାଇଛି । ଏହି ମୂଲ୍ୟ ବୃଦ୍ଧି ହେତୁ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସରକାର ଜୁଲାଇ ୨୯ରୁ ଶସ୍ତା ଦରରେ ଟମାଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଦିଲ୍ଲୀ-ଏନ୍‌ସିଆର୍‌ରେ ୬୦ ଟଙ୍କା ଦରରେ ଗୋଟିଏ କିଲୋ ଟମାଟୋ ମିଳିବ ।

ଦିଲ୍ଲୀ-ଏନ୍‌ସିଆରର ବିଭିନ୍ନ ସ୍ଥାନରେ ଷ୍ଟଲ ପକାଇ ଟମାଟୋ ବିକ୍ରି କରାଯିବ । ନ୍ୟାସନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍) ଦ୍ୱାରା ଶସ୍ତା ଟମାଟୋ ବିକ୍ରି ହେବ । ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ଏନସିସିଏଫ୍ ଷ୍ଟଲ୍ ପକାଇ ଟମାଟୋ ବିକିବ ।

ଏହି ଷ୍ଟଲ୍‌ଗୁଡ଼ିକ କୃଷି ଭବନ, ସିଜିଓ କମ୍ପ୍ଲେକ୍ସ, ଲୋଧି କଲୋନୀ, ହଉଜ୍ ଖାସ୍ ମୁଖ୍ୟ କାର୍ଯ୍ୟାଳୟ, ସଂସଦ ମାର୍ଗ, ଆଇଏନ୍ଏ ମାର୍କେଟ, ମଣ୍ଡି ହାଉସ୍, କୈଳାଶ କଲୋନୀ, ଆଇଟିଓ, ସାଉଥ୍‌ ଏକ୍ସଟେନ୍‌ସନ, ମୋତି ନଗର ଆଦି ସ୍ଥାନରେ ସ୍ଥାପନ କରାଯିବ । ଏହିପରି ଦ୍ୱାରକା, ନୋଏଡା ସେକ୍ଟର ୧୪ ଓ ୭୬, ରୋହିଣୀ ଏବଂ ଗୁରୁଗ୍ରାମ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ୬୦ ଟଙ୍କାରେ ଟମାଟୋ ବିକ୍ରି ହେବ ।

କହି ରଖୁଛୁ ଯେ ବର୍ତ୍ତମାନ ଦେଶର ବିଭିନ୍ନ ବଜାରରେ ଟମାଟୋର ଖୁଚୁରା ମୂଲ୍ୟ ପ୍ରତି କିଲୋଗ୍ରାମ ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି ।

You might also like