ନୂଆଦିଲ୍ଲୀ : ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ତଥା ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ ହରାଇ ସେ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିବଂଶଙ୍କୁ ବଧାୟ ଜଣାଇବା ସହ ପାର୍ଲାମେଣ୍ଟରେ ତାଙ୍କର ଭୂମିକା ଗଣତନ୍ତ୍ରଙ୍କୁ ମଜଭୁତ୍ କରିବ ବୋଲି କହିଥିଲେ । ସାଂସଦ ହେବା ପରେ ହରିବଂଶଜୀ ସମସ୍ତ ସାଂସଦମାପେ କିପରି ଅଧିକ କର୍ତ୍ତବ୍ୟ ପରାୟଣ ରହିବେ ସେ ଦୃଷ୍ଟି ଦେଉଥିଲେ । ତାଙ୍କ ଭିତରେ ଆଜି ବି ସାମ୍ବାଦିକତା ବଞ୍ଚି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଗତ ସପ୍ତାହରେ ହରିବଂଶ ଏନ୍ଡିଏ ପ୍ରାର୍ଥୀ ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ନୋମିନେସନ ଫାଇଲ୍ କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ହରିବଂଶଙ୍କୁ ସମର୍ଥନ କରିଥିଲା । ହରିବଂଶଙ୍କୁ ବିଜେଡି ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ବରୁ ଥରେ ନବୀନଙ୍କୁ ଅନୁରୋଧ କରିଥିଲେ । ଆଜି ପୁଣିଥରେ ଅନୁରୋଧ କରିବା ପରେ ନବୀନ ହରିବଂଶଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।