ତେଲଙ୍ଗାନା : ଉଦ୍ଧାର କାର୍ଯ୍ୟରେ ବାଧା ଦେଉଛି କାଦୁଅ ପାଣି, ଫସିଥିବା ୮ ଶ୍ରମିକଙ୍କୁ ବଞ୍ଚାଇବା ପାଇଁ ଏନଡିଆରଏଫ ଟିମର ପ୍ରୟାସ

ତେଲେଙ୍ଗାନା ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ୟାମର ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଚାଲିଛି । ରାତି ସାରା ଏସ୍ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଏନଡିଆରଏଫ ଟିମ୍ କାଦୁଅ ଭର୍ତ୍ତି ପାଣିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲେ ସୁଦ୍ଧା ଟିମ୍ ଏବେ ପହଞ୍ଚିଛି ।
ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି । ଭାରତୀୟ ସେନା ଓ ଏନ୍ଡିଆରଏଫ୍ର ମଧ୍ୟ ସହାୟତା ନିଆଯାଉଛି । ଏନଡିଆରଏଫ ଟିମ୍ ସୁଡ଼ଙ୍ଗ ଭିତରୁ ପାଣି ବାହାର କରୁଛନ୍ତି । ୧୧ରୁ ୧୩ କିମି ବାଟ ପାଣିରେ ଭରି ରହିଛି । ତେଣୁ ପାଣି ବାହାର କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି କାମ ପୂରଣ ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଶନିବାର ସକାଳେ ତେଲଙ୍ଗାନାର ନଗରକୁର୍ଣ୍ଣଲରେ ଥିବା ଶ୍ରୀଶୈଳମ ଡ୍ୟାମର ପଛଭାଗ ସୁଡ଼ଙ୍ଗ କାମ ଚାଲିଥିଲା । ଡ୍ୟାମର ପଛ ଭାଗରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା । ଶ୍ରୀଶୈଳମ ଡ୍ୟାମ ଠାରୁ ଦକ୍ଷିଣ କେନାଲର ୧୪କିମି ଦୂର ଦୋମଲପେଣ୍ଠା ଠାରେ ଟନେଲ ଭୁଶୁଡ଼ି ପଡ଼ିଥିଲା । ଟନେଲ ଖୋଳା କାମରେ ଶ୍ରମିକମାନେ ନିୟୋଜିତ ଥିବା ବେଳେ ହଠାତ ୩ମିଟର ଲମ୍ବ ଅଞ୍ଚଳ ଭୁଶୁଡ଼ିଥିଲା ।
ସୁଡ଼ଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା । ୪ ଦିନ ତଳେ ପୁଣି ଥରେ କାମ ଆରମ୍ଭ ହୋଇଥିଲା । ଏକ ଲିକ୍କୁ ମରାମତି କରିବା ପାଇଁ କିଛି ଶ୍ରମିକ ଓ ଇଞ୍ଜିନିୟର ଯାଇଥିବା ବେଳେ ଅଘଟଣ ଘଟିଥିଲା । ସେମାନଙ୍କ ମଧ୍ୟରୁ ଅନେକ ବାହାରି ଆସିବାରେ ସଫଳ ହୋଇଥିଲେ । ୨ ଜଣ ଇଞ୍ଜିନିୟର, ୨ ଜଣ ମେସିନ୍ ଅପରେଟର ଓ ୪ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ଏମାନେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ବାସିନ୍ଦା ବୋଲି ସୂଚନା ମିଳିଛି ।
Also Read : ସକାଳୁ ଥରିଲା ହିମାଚଳ ପ୍ରଦେଶର ମଣ୍ଡି, ଭୟରେ ଘରୁ ଦୌଡିଲେ ଲୋକ