ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ନିଟ୍ ପିଜି ପରୀକ୍ଷା । ପ୍ରାୟ ୧୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ୩୦ ଏବଂ ଦ୍ବିତୀୟ ସିଟିଂ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ହେବ । ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ସେପଟେ ଶନିବାର ପରୀକ୍ଷା ସ୍ଥଗିତ ରଖିବାପାଇଁ ୫ ଜଣ ଛାତ୍ର ସୁପ୍ରିମକୋର୍ଟରେ କରିଥିବା ଏକ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ପରୀକ୍ଷା ଦେବାକୁ ଥିବା ସହରରେ ପହଁଚିବାକୁ ଅସୁବିଧା ଥିବା ଦର୍ଶାଇ ପାଞ୍ଚ ଛାତ୍ର କୋର୍ଟର ଦ୍ବାରସ୍ଥ ହୋଇଥିଲେ।
୧୮୫ଟି ସହରରେ ୫୦୦ ପରୀକ୍ଷା କେନ୍ଦ୍ର ଓ ଓଡ଼ିଶାର ୨୬ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମେ ଏହି ପରୀକ୍ଷା ମାର୍ଚ୍ଚ ୩ରେ ହେବାକୁ ଥିଲା । ନିର୍ବାଚନ ପାଇଁ ଏହାକୁ ଜୁଲାଇ ୭କୁ ଘୁଞ୍ଚା ଯାଇଥିଲା । କିନ୍ତୁ ୧୨ ଘଣ୍ଟା ପୂର୍ବରୁ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ୨୦୨୩ ତୁଳନାରେ ଏଥର ଅଧିକ ଛାତ୍ରଛାତ୍ରୀ ନିଟ୍ ପିଜି ପରୀକ୍ଷା ଦେଉଛନ୍ତି । ୨୦୨୩ରେ ୭ ହଜାର ୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।