ଅଗଷ୍ଟ ୧୧ରେ NEET PG ପରୀକ୍ଷା, ରହିବ ଦୁଇଟି ଶିଫ୍ଟ

ଘୋଷଣା ହେଲା NEET PG ପରୀକ୍ଷା ତାରିଖ । ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେଶନ ଇନ୍‌ ମେଡିକାଲ୍‌ ସାଇନ୍ସେଜ୍‌ (NBEMS) ନିଟ୍‌ ପିଜିର ନୂଆ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ଜାରି କରିଛି । ଅଗଷ୍ଟ ୧୧ରେ ପରୀକ୍ଷା ଆୟୋଜନ ହେବ ।

ଦୁଇଟି ଶିଫ୍ଟରେ ପରୀକ୍ଷା କରାଯିବ । ଏସ୍‌ଓପି ଏବଂ ପ୍ରୋଟୋକଲ୍‌ ସମୀକ୍ଷା ପରେ ନିଟ୍‌ ପିଜିର ନୂଆ ତାରିଖ ଘୋଷଣା କରାଯାଇଛି । ବହୁତ ଜଲ୍‌ଦି ବୋର୍ଡର ଅଫିସିଆଲ ୱେବସାଇଟ୍ natboard.edu.inରେ ପରୀକ୍ଷା ସମ୍ବନ୍ଧିତ ଅଧିକ ସୂଚନା ଦିଆଯିବ । ଯେଉଁ ଛାତ୍ରଛାତ୍ରୀ ନିଟ୍‌ ପିଜି ପାଇଁ ଆବେଦନ କରିଥିଲେ ଏବଂ ଜୁନ୍‌ ୨୩ରେ ପରୀକ୍ଷା ଦେଇଥାଆନ୍ତେ, ସେମାନେ NBEର ଅଫିସିଆଲ୍‌ ୱେବସାଇଟ୍ ଯାଇ ନୂଆ ପରୀକ୍ଷା ତାରିଖର ନୋଟିସ୍‌ ଯାଞ୍ଚ କରିପାରିବେ ।

ପ୍ରଥମେ ନିଟ୍‌ ପିଜି ପରୀକ୍ଷା ଜୁନ୍‌ ୨୩ରେ ଆୟୋଜନ ହେବାର ଥିଲା । କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ନିଟ୍‌ ୟୁଜି ଏବଂ ୟୁଜିସି ନିଟ୍‌ ପେପର୍‌ ଲିକ୍‌ରୁ ଉପୁଜିଥିବା ବିବାଦ ଓ ହଙ୍ଗାମା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରୀକ୍ଷାର ଦିନକ ପୂର୍ବରୁ ନିଟ୍‌ ପିଜିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।

କୁହାଯାଇଥିଲା ଯେ ସତର୍କତାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଛି । ପରୀକ୍ଷା ଶିଫ୍ଟ ସହ ଜଡ଼ିତ ଅଧିକ ସୂଚନା ପରେ ଠିକ୍‌ ସମୟରେ natboard.edu.in ୱେବସାଇଟ୍‌ରେ ଉପଲବ୍ଧ କରାଯିବ । ୨ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।

କହି ରଖୁଛୁ, ପରୀକ୍ଷାର ଠିକ୍‌ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ । ଗୃହ ମନ୍ତ୍ରଣାଳୟ ପରୀକ୍ଷା ଉପରେ ନଜର ରଖିଛି । ପେପର୍‌ ଲିକ୍‌ ପାଇଁ କୌଣସି ସୁଯୋଗ ରହିବ ନାହିଁ । ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ, ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେଶନ ଇନ୍‌ ମେଡିକାଲ ସାଇନ୍ସେସ୍‌ ଏବଂ ସାଇବର ସେଲ୍‌ର ଅଧିକାରୀମାନେ ଯୋଗଦେଇଥିଲେ ।

You might also like