NEET-UG: ସୁପ୍ରିମ୍କୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଶନିବାର ମଧ୍ୟାହ୍ନ ସୁଦ୍ଧା ସେଣ୍ଟର ଓ୍ଵାଇଜ୍ ରେଜଲ୍ଟ ପ୍ରକାଶ କରୁ NTA

ନିଟ୍-ୟୁଜି (NEET-UG) ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି. ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଗଠିତ ବେଞ୍ଚ ଏହି ଶୁଣାଣି କରିଛନ୍ତି । ଶୁଣାଣି ବେଳେ ସୁପ୍ରିମକୋର୍ଟ ଏନ୍ଟିଏ (NTA)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ନିଟ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କସ୍କୁ ନିଜର ୱେବସାଇଟରେ ପ୍ରକାଶ କରାଯାଉ ଏବଂ ଛାତ୍ରଛାତ୍ରୀଙ୍କ ପରିଚୟ ଗୋପନ ରଖାଯାଉ ।
ତେବେ ଫଳାଫଳ ସହର ଓ୍ଵାରୀ ଏବଂ କେନ୍ଦ୍ର ଓ୍ଵାରୀ ପୃଥକ ଭାବରେ ଘୋଷଣା କରାଯିବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ନିଟ୍-ୟୁଜି ୨୦୨୪ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତା ଅଭିଯୋଗର ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଜୁଲାଇ ୨୨ ତାରିଖ ଧାର୍ଯ୍ୟ କରିଛନ୍ତି ।
ସିଜେଆଇ ନିଜ ଆଦେଶରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟକୁ ସେଣ୍ଟର ତାଲିକା ସହିତ ପ୍ରକାଶ କରିବାକୁ ଏନ୍ଟିଏକୁ କହିଛନ୍ତି । ପାଟନାରେ ପରୀକ୍ଷା ପୂର୍ବରୁ ପେପର୍ ବ୍ରିଚ୍ ହୋଇଥିଲା, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପ୍ରଧାନ ବିଚାରପତି ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସେଣ୍ଟର ଓ୍ଵାଇଜ୍ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜାରି କରିବାକୁ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ।
କହି ରଖୁଛୁ, ନିଟ୍-ୟୁଜି ପରୀକ୍ଷା ମେ’ ୫ରେ ଆୟୋଜିତ ହୋଇଥିଲା । ୪,୭୫୦ କେନ୍ଦ୍ରରେ ହୋଇଥିବା ଏହି ପରୀକ୍ଷାରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ । ଜୁନ୍ ୧୪ରେ ରେଜଲ୍ଟ ଘୋଷଣା କରାଯିବାର ଥିଲା, କିନ୍ତୁ ମୂଲ୍ୟାୟନ ସରିଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା ।