ନେପାଳ ଛାରଖାର୍‌ : ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୧୭୦ରେ ପହଞ୍ଚିଥିଲା, ଅନେକ ରାସ୍ତା ବନ୍ଦ

ନେପାଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି । ପ୍ରବଳ ବର୍ଷା ହେବା ଯୋଗୁଁ ବନ୍ୟା ପରିସ୍ଥିତି ସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ୪୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ବନ୍ୟା ଜନିତ ଘଟଣାରେ ପ୍ରାୟ ୧୧୧ ଜଣ ଆହତ ହୋଇଛନ୍ତି । ଗୃହ ମନ୍ତ୍ରଣାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ପ୍ରବଳ ବର୍ଷା ହେବାରୁ ପୂର୍ବ ଓ ମଧ୍ୟ ନେପାଳର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଥିଲା । ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ୩୦୦୦ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଗୃହ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ, ନେପାଳ ସେନା ଦ୍ୱାରା ସମଗ୍ର ଦେଶରେ ୧୬୨ ଜଣଙ୍କୁ ଏୟାରଲିଫ୍ଟ କରାଯାଇଛି । ସେହିପରି ୪୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

୩ ଦିନ ପାଇଁ ସ୍କୁଲକୁ ଛୁଟି ଘୋଷଣା କରଯାଇଛି । କାଠମାଣ୍ଡୁ, ଲଳିତପୁର, ଭକ୍ତପୁର, ପଞ୍ଚଥର, ଢାଙ୍କୁଟା, ଝାପା ଆଦି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ୩୨୨ ଘର ଭାସିଯାଇଥିବା ବଳେେ ୧୬ଟି ପୋଲି କ୍ଷତିଗ୍ରସ୍ତ ହୋଇଛି । ୬୩ ଟି ସ୍ଥାନରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିର୍ପଯ୍ୟସ୍ତ ହୋଇଛି । ଏବେ ବି ହଜାର ହଜାର ଲୋକ ପାଣି ଘେରରେ । ଦୀର୍ଘ ୪୦-୪୫ ବର୍ଷ ପରେ ଏଭଳି ବନ୍ୟା ଦେଖିଛି ନେପାଳ ।

ବନ୍ୟା ଓ ଭୂସ୍ଖଳନ କାରଣରୁ ଦେଶର ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ପରିବାର ବିସ୍ଥାପିତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ହଜାର ହଜାର ଯାତ୍ରୀ ଫସିଛନ୍ତି । ଭୂସ୍ଖଳନ ଯୋଗୁଁ ୬ ଜଣ ଫୁଟବଲ ଖେଳାଳିଙ୍କ ଜୀବନ ଚାଲିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like