ନେପାଳ: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲେ ସାଂସଦ, ମାଆଙ୍କ ମୃତ୍ୟୁ; ଚିକିତ୍ସା ପାଇଁ ମୁମ୍ବାଇ ଆଣିବାକୁ ଚାଲିଛି ପ୍ରସ୍ତୁତି
ନେପାଳ ସାଂସଦଙ୍କ ଘରେ ଭୟଙ୍କର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ। ଏଥିରେ ସାଂସଦ ଚନ୍ଦ୍ର ଭଣ୍ଡାରୀ ଗୁରୁତର ଭାବରେ ଜଳିଯାଇଥିବା ବେଳେ ତାଙ୍କ ମାଆଙ୍କର ଏଥିରେ ମୃତ୍ୟୁ ଘଟିଛି।
ନେପାଳ କଂଗ୍ରେସର ସାଂସଦ ଚନ୍ଦ୍ର ଭଣ୍ଡାରୀଙ୍କ ଘରେ ଭୟଙ୍କର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏଥିରେ ସାଂସଦ ଗୁରୁତର ଭାବରେ ଜଳିଯାଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ଚିକିତ୍ସା ସମୟରେ ସାଂସଦଙ୍କ ମାଆ ହରିକଳା ଭଣ୍ଡାରୀଙ୍କର ମୃତ୍ୟୁ ହୋଇଛି ଏବଂ ସାଂସଦ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।
ସାଂସଦଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର ସହାୟତାରେ ଏୟାର ଆମ୍ବୁଲାନ୍ସ ଡକାଯାଇଛି।
ମିଳିଥିବା ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ କାଠମାଣ୍ଡୁସ୍ଥିତ ନିଜ ଘରେ ସାଂସଦ ଭଣ୍ଡାରୀ ଓ ତାଙ୍କ ମାଆ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଳିଯାଇଥିଲେ। ଏହାପରେ ସେମାନଙ୍କୁ ତୁରନ୍ତ କୀର୍ତ୍ତିପୁରସ୍ଥିତ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ଆଇସିୟୁରେ ରଖାଯାଇଥିଲା।
ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ସାଂସଦଙ୍କ ଶରୀର ପାଖାପାଖି ୩୫ରୁ ୪୦ ପ୍ରତିଶତ ଜଳିଯାଇଥିବା ବେଳେ ତାଙ୍କ ମାଆ ହରିକଳାଙ୍କ ଶରୀର ୮୦ରୁ ୮୫ ପ୍ରତିଶତ ଜଳିଯାଇଥିଲା। ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସାଂସଦଙ୍କ ମାଆଙ୍କୁ ବଞ୍ଚାଯାଇ ପାରି ନ ଥିଲା। ଆଜି ସକାଳ ପ୍ରାୟ ୧୧ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।