ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଜାତୀୟ ସଙ୍ଗୀତ ଜାଗାରେ ବାଜିଲା ନେପାଳର ରାଷ୍ଟ୍ରଗୀତ! ଟ୍ରୋଲ କରି ବିଜେପି ନେତା କହିଲେ, ‘କମେଡି ସର୍କସ୍‌’

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ମହାରାଷ୍ଟ୍ରର ଓ୍ଵାସିମ୍‌ରେ ପହଞ୍ଚିଛି। ବୁଧବାର ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ଜାତୀୟ ସଙ୍ଗୀତ ଜାଗାରେ ବାଜିଛି ନେପାଳ ଜାତୀୟ ସଙ୍ଗୀତ, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭୁଲ୍‌ ପାଇଁ ବିଜେପି ନେତାମାନେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ଦାୟୀ କରିଛନ୍ତି।

ମହାରାଷ୍ଟ୍ରର ବିଜେପି ନେତା ନିତେଶ ରାଣେ ଏହି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି ଏବଂ ଟ୍ଵିଟ୍‌ କରିଛନ୍ତି କି, ‘ରାହୁଲଙ୍କ କମେଡି ସର୍କସ୍‌’। ତାମିଲନାଡ଼ୁର ବିଜେପି ନେତା ଅମର ପ୍ରସାଦ ରେଡ୍ଡୀ ବି ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ରାହୁଲ ଗାନ୍ଧୀ, ଏହା କ’ଣ’?

ରିପୋର୍ଟରୁ ଜଣାପଡ଼ିଛି, ମହାରାଷ୍ଟ୍ରର ଓ୍ଵାସିମ୍‌ରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର କିଛି ନେତା ଗୋଟିଏ ମଞ୍ଚରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ପାର୍ଶ୍ୱରେ ଛିଡ଼ା ହୋଇଥିବା ନେତାମାନଙ୍କୁ ରାଷ୍ଟ୍ରଗୀତ ବଜାଇବାକୁ କହିଥିଲେ। କିନ୍ତୁ ଭୁଲ୍‌ରେ ନେପାଳର ରାଷ୍ଟ୍ରଗୀତ ବାଜିବାକୁ ଲାଗିଥିଲା। ପାଖାପାଖି ୫ ସେକେଣ୍ଡ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ସାବଧାନ ମୁଦ୍ରାରେ ଛିଡ଼ା ହୋଇ ରହିଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ଅନୁଭବ ହୋଇଥିଲା ଯେ ଜାତୀୟ ସଙ୍ଗୀତ ଭୁଲ୍‌ ବାଜୁଛି, ତ ସେ ତୁରନ୍ତ ନେତାମାନଙ୍କୁ ଅଟକାଇଥିଲେ ଏବଂ ରାଷ୍ଟ୍ରଗୀତ ବଜାଇବାକୁ କହିଥିଲେ। ଯଦିଓ ରାହୁଲ ଗାନ୍ଧୀଙ୍କ କହିବା ସତ୍ତ୍ୱେ ବି କିଛି ନେତା ତାଙ୍କ କଥାକୁ ବୁଝିପାରି ନ ଥିଲେ।

ସେପଟେ ସୋସିଆଲ ମିଡିଆ ୟୁଜରମାନେ ରାହୁଲ ଗାନ୍ଧୀଙ୍କ ମଜା ଉଡ଼ାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘କ’ଣ ଏହା ନେପାଳର ରାଷ୍ଟ୍ରଗୀତ’? ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି, ‘ରାହୁଲ ଗାନ୍ଧୀ ୫ ସେକେଣ୍ଡରୁ ଅଧିକ ସମୟ ନେଇ ବୁଝିଥିଲେ ଯେ ଏହା ଭୁଲ୍‌ ଗୀତ ବାଜୁଛି’। ରାମେଶ୍ୱର ସନାତନୀ ନାମକ ୟୁଜର କହିଛନ୍ତି, ‘ଭୁଲ୍‌ ଜାତୀୟ ସଙ୍ଗୀତ ବଜାଇବା ଏବଂ ଏହାକୁ ଅପମାନ କରିବା ପାଇଁ ଏହି ଲୋକମାନଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.