ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀ ମୃତ: ମୃତକଙ୍କ ମଧ୍ୟରେ ୫ ଭାରତୀୟ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି ।  କିନ୍ତୁ ଉଦ୍ଧାରକାରୀ ଦଳ ଏବେ ବି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟରେ ସେନା ବାହିନୀ ମଧ୍ୟ ସାମିଲ ହୋଇଛନ୍ତି। ଏହାକୁ ନେଇ ନେପାଳ ସରକାର ହେଲପଲାଇନ ନମ୍ବର ଜାରି କରିଛନ୍ତି। କାଠମାଣ୍ଡୁ ପାଇଁ ୯୭୭-୯୮୫୧୧୦୭୦୨୧ ଏବଂ ପୋଖରା ପାଇଁ +୯୭୭-୯୮୫୬୦୩୭୬୯୯ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ମୃତ ଘଟିଛି । ସେମାନଙ୍କର ପରିଚୟ ହେଉଛି ସଂଜୟ, ସୋନୁ ଜୟସଓ୍ଵାଲ, ବିଶାଲ ଶର୍ମା, ଅନିଲ ରାଜଭର ଏବଂ ଅଭିଷେକ କୁଶଓ୍ଵାହା ପ୍ରମୁଖ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କାଠମାଣ୍ଡୁରୁ ପୋଖରା ଯାଉଥିବା ବିମାନ ପାହାଡ଼ରେ ପିଟି ହେବା ପରେ ନିଆଁ ଲାଗିଯାଇଥିଲା। ପ୍ରବଳ ଧୂଆଁରେ ଚାରିଆଡ଼ କିଛି ଦେଖାଯାଉନାହିଁ । ବିମାନରେ ୫୩ଜଣ ନେପାଳୀ, ୫ଜଣ ଭାରତୀୟ, ୪ଜଣ ରୁଷୀୟ, ୨ଜଣ କୋରିଆନ୍, ଜଣେ ଆର୍ଜେଣ୍ଟିନା ଓ ଜଣେ ଫ୍ରାନ୍ସ ଯାତ୍ରୀ ଯାତ୍ରା କରୁଥିବା ପୋଖରା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ବିମାନ ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଦୁଃଖ ପ୍ରକାଶ କରିବା ସହିତ ତ୍ରିଭୂବନ ଏୟାରପୋର୍ଟରେ ପହଞ୍ଚି ଜରୁରୀକାଳୀନ ବୈଠକ ଡାକିଛନ୍ତି। ଦୁର୍ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି।

ୟେତି ଏୟାରଲାଇନ୍ସ କହିଛି ଯେ, ବିମାନଟି ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ ଦୁର୍ଘଟଣା ହୋଇଛି ବୋଲି ଏୟାରଲାଇନ୍ସ କହିଛି। ଜାନୁଆରୀ ୧ତାରିଖରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟିତ ହୋଇଥିଲା ବୋଲି ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.