ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟ୍‌ ହାରି ଯାଇଛନ୍ତି ପ୍ରଚଣ୍ଡ । ୧୯ ମାସ ଶାସନରେ ରହିବା ପରେ ଏବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌-ୟୁଏମ୍‌ଏଲ୍‌ ‘ପ୍ରଚଣ୍ଡ’ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେ ବିଶ୍ୱାସ ମତ ହାସଲ ପାଇଁ ବାଧ୍ୟ ହୋଇଥିଲେ ।

୫ମ ଥର ପାଇଁ ପ୍ରଚଣ୍ଡ ସଂସଦରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଥିଲେ । ଏହା ପୂର୍ବରୁ ୪ଟି ପ୍ରୟାସରେ ସେ ଆସ୍ଥା ଭୋଟ୍‌ ଜିତିବାରେ ସଫଳ ରହିଥିଲେ । ଦହଲଙ୍କର ସବୁଠାରୁ ବଡ଼ ମେଣ୍ଟ ସହଯୋଗୀ ସିପିଏନ୍‌-ୟୁଏମ୍‌ଏଲ୍‌ ଜୁଲାଇ ୩ରେ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ୨୦୨୨ ଡିସେମ୍ବର ୨୫ରେ ପୁଷ୍ପ କମଲ ଦହଲ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ପାଖାପାଖି ୧୯ ମାସ ପରେ ତାଙ୍କର ସରକାର ବର୍ତ୍ତମାନ ଭାଙ୍ଗିଯାଇଛି ।

୬୯ ବର୍ଷୀୟ ପ୍ରଚଣ୍ଡଙ୍କୁ ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ମାତ୍ର ୬୩ଟି ଭୋଟ୍‌ ମିଳିଥିଲା ଏବଂ ବିଶ୍ୱାସ ପ୍ରସ୍ତାବ ବିରୋଧରେ ୧୯୪ଟି ଭୋଟ୍‌ ପଡ଼ିଥିଲା ।

You might also like