ପରୀକ୍ଷା ପୂର୍ବରୁ ଲିକ ହୋଇଥିଲା ନିଟ୍ ପ୍ରଶ୍ନପତ୍ର, ପୋଲିସ ଆଗରେ ସ୍ବୀକାର କଲେ ୩ ଗିରଫ ଛାତ୍ର

ନୂଆଦିଲ୍ଲୀ : ପରୀକ୍ଷା ପୂର୍ବରୁ ଲିକ ହୋଇଥିଲା ନିଟ୍ ପ୍ରଶ୍ନପତ୍ର ।  ଉତ୍ତର ସହ ପେପର ଲିକ୍ ହୋଇଥିଲା ।  ବିହାର ପୋଲିସ ଆଗରେ ସ୍ବୀକାର କଲେ ଗିରଫ ହୋଇଥିବା ଅଭିଯୁକ୍ତ ଛାତ୍ର ।  ପେପର ଲିକ ମାମଲାରେ ଗିରଫ ହୋଇଥିବା ୪ ଜଣ ଛାତ୍ରଙ୍କ ମଧ୍ୟରୁ ୩ ଜଣ ଛାତ୍ର ପେପର ଲିକ ଘଟଣାକୁ ସ୍ବୀକାର କରିଛନ୍ତି ।  ଏହି ୩ ଛାତ୍ର ହେଲେ ଅନୁରାଗ ଯାଦବ, ନୀତିଶ କୁମାର ଓ ଅନୀତ ଆନନ୍ଦ । ପରୀକ୍ଷା ପୂର୍ବଦିନ ସେମାନେ ପ୍ରଶ୍ନପତ୍ର ପାଇଥିବା ସ୍ବୀକାର କରିଛନ୍ତି। ସେମାନେ ଯେଉଁ ପ୍ରଶ୍ନପତ୍ର ପାଇଥିଲେ, ପରଦିନ ଠିକ ସେହି ପ୍ରଶ୍ନପତ୍ର ପରୀକ୍ଷାରେ ଆସିଥିବା କହିଛନ୍ତି ଗିରଫ ଛାତ୍ର । ସିକନ୍ଦର ଯଦାବେନ୍ଦୁ ନାମକ ବିହାରର ଜଣେ କନିଷ୍ଠ ଯନ୍ତ୍ରୀ ଏହି ପେପର ଲିକ୍ ମାମଲାରେ ତାଙ୍କର ଭୂମିକାକୁ ମଧ୍ୟ ସ୍ବୀକାର କରିଛନ୍ତି। ଅନ୍ୟପଟେ ଆଜି ନିଟ୍ ପେପର ଲିକ ମାମଲାରେ ଆଉ କିଛି ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ।

ଅନ୍ୟପଟେ ଜୁନ ୧୮ରେ NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କେନ୍ଦ୍ର ଓ ଏନଟିଏକୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ । ଜୁଲାଇ ୮ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନିୟମିତତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଆବଶ୍ୟକ ବୋଲି ସବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଭୁଲ୍ ହୋଇଥିଲେ ଶୀଘ୍ର ସୁଧାର ବୋଲି କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ୦.୦୦୧ ପ୍ରତିଶତ ଅସାବଧାନତା ହୋଇଥିଲେ ବି ତାକୁ ହାଲକା ଭାବେ ନିଅନି ବୋଲି କୋର୍ଟ କହିଛନ୍ତି । ଏହା ଲକ୍ଷ ଲକ୍ଷ ପିଲାଙ୍କ ଭିବଷ୍ୟତ ସହିତ ଜଡିତ ମାମଲା । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପରିଶ୍ରମକୁ ଅଣଦେଖା କରିହେବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ଚଳିତ ବର୍ଷ ମେ ୫ ତାରିଖରେ ଦେଶର ୪୭୫୦ ପରୀକ୍ଷା କେନ୍ଦ୍ରରେ ୨୪ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ ପରୀକ୍ଷା ଦେଇଥିଲେ ।  ଜୁନ ୧୪ ପରିବର୍ତ୍ତେ ଜୁନ ୪ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ୨୦୨୩ ମସିହାରେ ମାତ୍ର ୨ ଜଣ ପରୀକ୍ଷାର୍ଥୀ ୭୨୦ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ଚଳିତ ବର୍ଷ ୬୭ ଜଣ ଶତ ପ୍ରତିଶତ ନମ୍ବର ରଖିବା ପରେ ପୂରା ପରୀକ୍ଷା ପକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

You might also like