ଚଣ୍ଡୀଗଡ଼-କୋଚୁବେଲୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ରେଳ ଷ୍ଟେସନ୍‌ରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଶୁକ୍ରବାର ଅପରାହ୍ନରେ ୮ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଚଣ୍ଡୀଗଡ଼-କୋଚୁବେଲୀ ଏକ୍ସପ୍ରେସ୍‌ ର ଏକ ବଗିରେ ନିଆଁ ଲାଗିଛି। ନିଆଁ ଲାଗିଥିବା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୪ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନ୍‌ରେ ନିଆଁ ଲାଗିବା ପରେ ପ୍ଲାଟଫର୍ମରେ ଆତଙ୍କ ସୃଷ୍ଟି ହୋଇଥିଲା।

ସୂଚନାନୁଯାୟୀ, ଟ୍ରେନ୍‌ ର ପାଓ୍ଵାର କାର ବଗିରେ ନିଆଁ ଲାଗିଥିଲା, ତେବେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି ଏବଂ ଟ୍ରେନ୍‌ ହଜରତ ନିଜାମୁଦ୍ଦିନ୍‌ ଷ୍ଟେସନ୍‌ ଅଭିମୁଖେ ଯାତ୍ରା କରିଛି। ସେଠାରେ ପାଓ୍ଵାର କାର ବଗିର ମରାମତି କରାଯିବ।

ରେଳ ବିଭାଗର ଅଧିକାରୀଙ୍କ ସୂଚନାନୁସାରେ, ଦିଲ୍ଲୀ ରେଳଷ୍ଟେସନ୍‌ର ୮ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଚଣ୍ଡୀଗଡ଼-କୋଚୁବେଲୀ ଏକ୍ସପ୍ରେସ୍‌ର ପାଓ୍ଵାର କାର୍‌ ବଗିରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଷ୍ଟେସନ୍‌ ସାରା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ସମସ୍ତ ଯାତ୍ରୀ ସୁସ୍ଥ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଟ୍ଵିଟ୍‌ କରି ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି।