ଶ୍ରମ ଆଇନ୍‌ରେ ଆସୁଛି ସୁଧାର : କର୍ମଚାରୀଙ୍କୁ ହେବ ଅନେକ ଫାଇଦା, ଜାଣି ନିଅନ୍ତୁ କଣ ସବୁ ରହିଛି ନୂଆ ବ୍ୟବସ୍ଥାରେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ଶ୍ରମ ଆଇନ୍‌ରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯେଉଁ ନୂଆ ନିୟମ ଆସିବ ସେଥିରେ ଶ୍ରମଜୀବୀମାନଙ୍କୁ ଫାଇଦା ହେବ । ଏହି ନୂଆ ନିୟମ ଅନୁସାରେ କର୍ମଚାରୀମାନେ ନିଜ ସିଫଟ୍‌ର ନିର୍ଦ୍ଧାରିତ ସମୟ ଠାରୁ ଅଧିକ ୧୫ ମିନିଟ୍‌ କାମ କଲେ ଓଭର ଟାଇମ ପାଇବାକୁ ହକଦାର ହେବେ ।
ଆହୁରି ମଧ୍ୟ ଏହି ନୂଆ ଶ୍ରମ ଆଇନ୍‌ରେ ଚାରି ଦିନ କାମ ସହ ତିନି ଦିନ ଛୁଟିର ବ୍ୟବସ୍ଥା ରହିବ । ପୁଣି ଲଗାତର ୧୮୦ ଦିନ କାମ କଲେ ଲମ୍ବା ଛୁଟିରେ ଯାଇ ପାରିବେ କର୍ମଚାରୀ । ଶ୍ରମ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏସବୁ ନିୟମକୁ ଲାଗୁ କରିବା ପାଇଁ ଦେଶର ୩୧ରୁ ଅଧିକ ରାଜ୍ୟ ରାଜି ହୋଇ ସାରିଛନ୍ତି । କେତେକ ରାଜ୍ୟ ଏହାକୁ ନିୟମରେ ପରିବର୍ତ୍ତନ କରିବାର ସବୁ ବ୍ୟବସ୍ଥା କରି ସାରିଲେଣି । ଆଉ କିଛି ରାଜ୍ୟ କେତେକ ନିୟମକୁ ନେଇ ଆପତ୍ତି ଉଠାଇଛନ୍ତି ।

ଅବଶ୍ୟ ଏହି ନୂଆ ଶ୍ରମ ନିୟମ କେବେ ଠାରୁ କେନ୍ଦ୍ର ସରକାର ଲାଗୁ କରିବେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଖୁବ୍‌ ଶୀଘ୍ର ଏହାକୁ ଲାଗୁ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସପ୍ତାହରେ କର୍ମଚାରୀମାନେ ତିନି ଦିନ ଛୁଟି ପାଇବେ । ହେଲେ ବାକି ଦିନଗୁଡ଼ିକରେ ମୋଟ ୪୮ ଘଣ୍ଟା ସେମାନଙ୍କୁ କାମ କରିବାକୁ ହେବ । ଅର୍ଥାତ ଦିନକୁ ୧୨ ଘଣ୍ଟା କାମ କରିବାକୁ ହେବ । ଆହୁରି ମଧ୍ୟ ଯଦି ମହିଳା କର୍ମଚାରୀମାନେ ନାଇଟ୍‌ ସିଫଟ କରିବାକୁ ନଚାହିଁବେ ତେବେ ସେମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ।

ପୂର୍ବ ନିୟମ ଅନୁସାରେ ଯଦି ଜଣେ କର୍ମଚାର ୀ ବର୍ଷରେ ୨୪୦ ଦିନ କାମ କରୁଥିଲେ ତେବେ ତାଙ୍କୁ ଲମ୍ବା ଛୁଟି ନେବା ପାଇଁ ଅନୁମତି ମିଳୁଥିଲା । ହେଲେ ଏବେ ସେ ଯଦି ବର୍ଷରେ ୧୮୦ ଦିନ କାମ କରିବେ ତେବେ ଏଭଳି ଲମ୍ବା ଛୁଟିରେ ଯାଇ ପାରିବେ ।

ଏହା ସହିତ ସରକାର ଆଉ ଏକ ବ୍ୟବସ୍ଥା ମଧ୍ୟ କରିବାକୁ ଯାଉଛନ୍ତି । କର୍ମଚାରୀଙ୍କର କଟୁଥିବା ଇପିଏଫ୍‌ଓ ଏବଂ ଗ୍ରାଚୁଇଟି ବାବଦ ଅର୍ଥର ପରିମାଣକୁ ବଢ଼ା ଯାଇଛି । ଯାହାଫଳରେ ପୂର୍ବ ଅପେକ୍ଷା ଏ ବାବଦରେ ଦରମାରୁ ଅଧିକ ଟଙ୍କା କଟିବ । ଫଳରେ କର୍ମଚାରୀମାନେ କମ୍‌ ଦରମା ସିନା ପାଇବେ କିନ୍ତୁ ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚୁଇଟିରୁ ଅଧିକ ଟଙ୍କା ପାଇବେ ।

କୌଣସି କର୍ମଚାରୀ ରିଟାୟାର୍ଡ଼ ପରେ କିମ୍ବା ଚାକିରି ଛାଡ଼ିଲେ ଅଥବା ଚାକିରିରୁ ବିଦା ହେଲେ ମାତ୍ର ଦୁଇ ଦିନ ମଧ୍ୟରେ ତାଙ୍କର ସବୁ ଅର୍ଥ ପ୍ରଦାନ କରିବାକୁ ନୂଆ ଶ୍ରମ ନିୟମରେ ନିର୍ଦ୍ଦେଶ ରହିଛି । ଏବେ ଏଥିପାଇଁ ୪୫ ଦିନ ସମୟ ଦିଆଯାଉଛି । ସେହିପରି କୌଣସି କମ୍ପାନୀରେ ଶ୍ରମିକ ସଂଘ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଭିତରେ ଯଦି ବିବାଦ ଉପୁଜେ ତେବେ ସେ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ । ଟ୍ରିବ୍ୟୁନାଲରେ ବିବାଦର ସମାଧାନ କରାଯିବାକୁ ଉଦ୍ୟମ ହେବ । ତେବେ ଫଇସଲା ନହେଲା ଯାଏ କର୍ମଚାରୀମାନେ ହରତାଳ ଆଦି କରି ପାରିବେ ନାହିଁ । ଏମିତିକି ସେମାନେ ଯଦି ସମୂହ ଛୁଟି ନିଅନ୍ତି ତାହାହେଲେ ଏହାକୁ ହରତାଳ ବୋଲି ଧରାଯିବ । ଏବେ ଦେଖିବାର କଥା, ଏସବୁ ନୂଆ ନିୟମ କେବେ ଲାଗୁ ହେଉଛି ଏବଂ ଏଥିରୁ ପ୍ରକୃତରେ କିଏ ଫାଇଦା ପାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.