ଚୀନରେ ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ ! ଚିନ୍ତା ବଢ଼ାଇଲାଣି ହସ୍ପିଟାଲର ଭିଡ଼, ଦେଖନ୍ତୁ VIDEO

ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ । ଡରାଇଲାଣି ନୂଆ ଭାଇରସ୍ HMPV । କରୋନା ମହାମାରୀର ୫ ବର୍ଷ ପରେ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ । କୋଭିଡ୍ ଭଳି ସଂକ୍ରମିତ ହେଉଛନ୍ତି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି । ଏହାର ଲକ୍ଷଣ ଠିକ୍ ଫ୍ଲୁ ଏବଂ କୋଭିଡ-୧୯ ପରି ।

ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ସୋସିଆଲ ମିଡିଆରେ ହସ୍ପିଟାଲ ଗହଳିର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏ ନେଇ ସ୍ଵତନ୍ତ୍ର ଚିକିତ୍ସା କିମ୍ବା ଟିକା ନ ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ପରିସ୍ଥିତି ଉପରେ ନଜର ରଖିବାକୁ ଏକ ପାଇଲଟ୍ ମନିଟରିଂ ସିଷ୍ଟମ ଘୋଷଣା ହୋଇଛି ।

ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମୁତାବକ, HMPV ଭାଇରସ୍ ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ । ଛୋଟ ପିଲା, ବୃଦ୍ଧ ଏବଂ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ୍ ଥିବା ଲୋକ ଏହାର ସବୁଠାରୁ ବଡ଼ ଶିକାର ହୋଇପାରନ୍ତି । କାଶ, ଜ୍ୱର, ନାକ ବନ୍ଦ ଇତ୍ୟାଦି ଏହାର ଲକ୍ଷଣ । ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ଵାସରୋଗ ମଧ୍ୟ ସୃଷ୍ଟି କରିପାରେ ।

ଚୀନରେ ଏହି ରୋଗ କୋଭିଡ୍-୧୯ ଭଳି ବିସ୍ତାର ହେବାରେ ଲାଗିଛି । ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । HMPV ବ୍ୟତୀତ ଇନଫ୍ଲୁଏଞ୍ଜା ଏ, ମାଇକୋପ୍ଲାଜମା ନିମୋନିଆ ଏବଂ କୋଭିଡ୍-୧୯ ମାମଲା ବି ସାମ୍ନାକୁ ଆସୁଛି । ଏହି ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି ।

ସୂଚନା ଯେ HMPV ଭାଇରସ୍ ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା । ଜଣେ ଡଚ୍ ବିଶେଷଜ୍ଞ ଶ୍ଵାସରୋଗରେ ପୀଡ଼ିତ ଶିଶୁର ନମୁନାରେ ଏହି ଭାଇରସକୁ ଚିହ୍ନଟ କରିଥିଲେ ।