ଚୀନରେ ଚିହ୍ନଟ ହେଲା ନୂଆ ଭାଇରସ୍‌ ‘Zoonotic Langya’! ଖରାପ କରି ଦେଉଛି ସଂକ୍ରମିତ ରୋଗୀଙ୍କ ଲିଭର୍‌ ଓ କିଡ୍‌ନୀ

କରୋନା ଶେଷ ନ ହେଉଣୁ ଏବେ ଚୀନରେ ଆଉ ଏକ ନୂଆ ଭାଇରସ୍‌ କାୟା ବିସ୍ତାର କରୁଛି। ତାଇଓ୍ଵାନ ସେଣ୍ଟର ଫର୍‌ ଡିସିଜ୍‌ କଣ୍ଟ୍ରୋଲ ମୁତାବକ, ଚୀନରେ Zoonotic Langya (Langya henipavirus) ଭାଇରସ୍‌ ଚିହ୍ନଟ ହୋଇଛି। ଏଥିରେ ପାଖାପାଖି ୩୫ ଜଣ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକ ରିପୋର୍ଟ ଦାବି କରିଛି ଯେ ତାଇଓ୍ଵାନ ଏହି ଭାଇରସ୍‌ର ଚିହ୍ନଟ ଏବଂ ସଂକ୍ରମଣକୁ ମନିଟର କରିବା ପାଇଁ ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବ।

‘Langya henipavirus’କୁ ଚୀନର ଶେଡୋଙ୍ଗ୍‌ ଓ ହେନାନ୍‌ କ୍ଷେତ୍ରରେ ଚିହ୍ନଟ କରାଯାଇଛି। ସେଠାକାର ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପି ପାରେ। ତାଇଓ୍ଵାନର ସିଡିସି ଉପ ମହାନିର୍ଦ୍ଦେଶକ ଚୁଆଙ୍ଗ ଜେନ୍‌ ହିସିୟାଙ୍ଗ କହିଛନ୍ତି ଯେ ରିସର୍ଚ୍ଚରୁ ଜଣାପଡ଼ିଛି, ଭାଇରସ୍‌ରେ ହ୍ୟୁମାନ ଟୁ ହ୍ୟୁମାନ ଟ୍ରାନ୍ସମିସନ ନାହିଁ। ତଥାପି ବର୍ତ୍ତମାନ ଏହା ସଠିକ୍‌ ରୂପେ କୁହାଯାଇ ପାରିବ ନାହିଁ କି, ଭାଇରସ୍‌ ମଣିଷରୁ ମଣିଷ ବ୍ୟାପି ପାରିବ ନାହିଁ। ଅଧିକାରୀ ଜଣକ ଭାଇରସ୍‌ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ସେ ଗୃହପାଳିତ ପଶୁଙ୍କ ଉପରେ ହୋଇଥିବା ସର୍ଭେ ବିଷୟରେ ସୂଚନା ଦେଇ କହିଥିଲେ, ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିବା ଛେଳିଙ୍କ ମଧ୍ୟରୁ ୨ ପ୍ରତିଶତ ଏବଂ କୁକୁରଙ୍କ ମଧ୍ୟରୁ ୫ ପ୍ରତିଶତ କେସ୍‌ ମିଳିଛି। ଏଥି ସହିତ ୨୫ ପ୍ରଜାତିର ଜଙ୍ଗଲି ପଶୁଙ୍କ ଉପରେ ହୋଇଥିବା ପରୀକ୍ଷଣର ଫଳାଫଳ କହୁଛି ଯେ ଚୁଚୁନ୍ଦ୍ରା ଲାଙ୍ଗ୍ୟା ହେନିପା ଭାଇରସ୍‌ ବିସ୍ତାର କରିବାରେ ପ୍ରମୁଖ କାରଣ ହୋଇପାରେ।

ରିପୋର୍ଟ ମୁତାବକ, ୩୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୬ ଜଣଙ୍କ ଠାରେ ଜ୍ୱର, ଥକ୍କାପଣ, କାଶ, ଭୋକ ନ ହେବା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ବାନ୍ତି ଭଳି ଲକ୍ଷଣ ମିଳିଛି। ରୋଗୀମାନଙ୍କ ଶ୍ୱେତ ରକ୍ତ କଣିକାରେ ମଧ୍ୟ ଅଭାବ ଦେଖା ଦେଇଛି। କେବଳ ଏତିକି ନୁହେଁ, ରୋଗୀଙ୍କ ଠାରେ କମ୍‌ ପ୍ଲେଟ୍‌ଲେଟ, ଯକୃତ ଖରାପ, କିଡ୍‌ନୀ ଖରାପ ଆଦି ଲକ୍ଷଣ ନଜର ଆସିଛି।

ଚୁଆଙ୍ଗ ଜେନ୍‌ଙ୍କ କହିବା ହେଲା, ୩୫ ଜଣ ରୋଗୀଙ୍କର ପରସ୍ପର ମଧ୍ୟରେ କୌଣସି ବି ସମ୍ପର୍କ ମିଳି ନାହିଁ। ଏପରି କି, ରୋଗୀମାନଙ୍କ ପରିବାର, ସାଙ୍ଗସାଥୀ ଏବଂ ସମ୍ପର୍କୀୟମାନଙ୍କ ମଧ୍ୟରେ କେହି ସଂକ୍ରମିତ ଲୋକ ମଧ୍ୟ ମିଳି ନାହାନ୍ତି। ତେବେ ଏହି ନୂଆ ଭାଇରସ୍‌ରେ ଜ୍ୱରରୁ ହିଁ ପ୍ରଥମେ ଲକ୍ଷଣ ଦେଖିବାକୁ ମିଳୁଛି।

Leave A Reply

Your email address will not be published.