ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନବଜାତ ଶିଶୁଙ୍କୁ ମିଳିବ ସୁନାର ମୁଦି! ଏଠି ବଣ୍ଟାଯିବ ୭୨୦ କିଲୋ ମାଛ…ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ଜନ୍ମଦିନ ପାଳନ କରିବେ। ଏହି ଅବସରରେ ସାରା ଦେଶରେ ବିଶେଷ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। କେଉଁଠି ରକ୍ତଦାନ ଶିବିର ତ କେଉଁଠି ସେବା ପଖ୍‌ଓ୍ଵାଡା। ହେଲେ ତାମିଲନାଡ଼ୁରେ କିଛି ଭିନ୍ନ ଧରଣର କାର୍ଯ୍ୟକ୍ରମ ରଖାଯାଇଛି। ଏଠି ବିଜେପିର ରାଜ୍ୟ ୟୁନିଟ୍‌ ଆସନ୍ତାକାଲି ନବଜାତ ଶିଶୁମାନଙ୍କୁ ସୁନାର ମୁଦି ପ୍ରଦାନ କରିବ। ସେପ୍ଟେମ୍ବର ୧୭ ଅର୍ଥାତ୍‌ ମୋଦିଙ୍କ ଜନ୍ମଦିନରେ ଯେଉଁ ଶିଶୁ ଜନ୍ମଗ୍ରହଣ କରିବେ, ସେମାନଙ୍କୁ ୨ ଗ୍ରାମ ଓଜନର ସୁନା ମୁଦି ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ଏଥି ସହିତ ୭୨୦ କିଲୋଗ୍ରାମର ମାଛ ମଧ୍ୟ ବଣ୍ଟାଯିବ। ମତ୍ସ୍ୟ ପାଳନ ଏବଂ ସୂଚନା ଓ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍‌ ମୁରୁଗନ କହିଛନ୍ତି, ୭୨୦ କିଲୋ ମାଛ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ନିର୍ବାଚନ ମଣ୍ଡଳୀକୁ ଚୟନ କରାଯାଇଛି। ତାଙ୍କ କହିବା ହେଲା, ପିଏମ୍‌ ମୋଦି ୭୨ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି, ତେଣୁ ୭୨୦ କିଲୋଗ୍ରାମ ମାଛ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ମନ୍ତ୍ରୀ ଆହୁରି କହିଥିଲେ, ‘ଆମେ ଚେନ୍ନାଇସ୍ଥିତ ସରକାରୀ RSRM ହସ୍ପିଟାଲକୁ ଚୟନ କରିଛୁ, ଯେଉଁଠି ପିଏମ୍‌ ମୋଦିଙ୍କ ଜନ୍ମଦିନରେ ଜନ୍ମ ହେବାକୁ ଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ପ୍ରଦାନ କରାଯିବ’।

ପ୍ରତ୍ୟେକ ମୁଦି ପାଖାପାଖି ୨ ଗ୍ରାମ ଓଜନର ହୋଇଥିବା ବେଳେ ଦାମ୍‌ ପାଖାପାଖି ୫୦୦୦ ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଇଛି। ରାଜ୍ୟ ମନ୍ତ୍ରୀ କହିଛନ୍ତି, ଏହା ମାଗଣାରେ ଦିଆଯାଉଥିବା ଉପହାର ଭେଟି ନୁହେଁ, ବରଂ ଏହା ଜରିଆରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ। ବିଜେପିର ଲୋକାଲ ୟୁନିଟ୍‌ ଅନୁମାନ କରିଛି ଯେ ଏହି ସରକାରୀ ହସ୍ପିଟାଲରେ ସେପ୍ଟେମ୍ବର ୧୭ରେ ୧୦ କିମ୍ବା ୧୫ ଜଣ ଶିଶୁ ଜନ୍ମଗ୍ରହଣ କରି ପାରନ୍ତି।

ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଖୁଆଇବ ସ୍ପେଶାଲ ଥାଳି

ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ମୋଦିଙ୍କ ଜନ୍ମଦିନକୁ ଖାସ୍‌ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ସ୍ପେଶାଲ ଥାଳି ଲଞ୍ଚ୍‌ କରିବାକୁ ଯୋଜନା କରିଛନ୍ତି। କୋନଟ୍‌ ପ୍ଲେସ୍‌ସ୍ଥିତ ARDOR 2.0 ନାମକ ରେଷ୍ଟୁରାଣ୍ଟରେ ୫୬ ଆଇଟମ୍‌ ଥିବା ଏକ ବଡ଼ ଆକାର ଥାଳି ଲଞ୍ଚ୍‌ କରାଯିବ। ଗ୍ରାହକମାନଙ୍କ ପାଖରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ବିକଳ୍ପ ରହିବ। ରେଷ୍ଟୁରାଣ୍ଟ ମାଲିକ ସୁମିତ୍‌ କଲାରା କହିଛନ୍ତି ଯେ ‘ମୁଁ ପିଏମ୍‌ ମୋଦିଙ୍କୁ ବହୁତ ସମ୍ମାନ କରୁଛି। ସେ ଆମ ଦେଶର ଗୌରବ। ଆମେ ତାଙ୍କ ଜନ୍ମଦିନରେ କିଛି ନିଆରା ଉପହାର ଦେବାକୁ ଚାହୁଁଛୁ। ତେଣୁ ଏହି ଥାଳିକୁ ଆମେ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛୁ, ଯାହାର ନାମ ଆମେ ‘୫୬ ଇଞ୍ଚ୍‌ ମୋଦି ଜୀ’ ରଖିଛୁ।

ସୁମିତ୍‌ ଆହୁରି କହିଥିଲେ, ‘ଆମେ ଏହି ଥାଳି ଉପହାରରେ ଦେବାକୁ ଚାହୁଁଛୁ। ଆମେ ଚାହୁଁଛୁ କି, ମୋଦି ଏଠାକୁ ଆସି ଖାଆନ୍ତୁ। କିନ୍ତୁ ସୁରକ୍ଷା କାରଣରୁ ଆମେ ଏମିତି କରି ପାରିବୁ ନାହିଁ। ତେଣୁ ଏହି ଥାଳି ମୋଦିଙ୍କ ପ୍ରଶଂସକମାନଙ୍କ ପାଇଁ ରହିଛି। ଯେଉଁମାନେ ତାଙ୍କୁ ବହୁତ ଭଲ ପାଆନ୍ତି, ସେମାନେ ଏହି ଥାଳିର ମଜା ଉଠାଇ ପାରିବେ’।

Leave A Reply

Your email address will not be published.