ମହାରାଷ୍ଟ୍ର: ଚଳନ୍ତା ବସରେ ଲାଗିଲା ନିଆଁ, ଭିତରେ ଥିଲେ ବରକନ୍ୟା ଓ ପରିବାର ଲୋକ

ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାରେ ବସ୍ରେ ଲାଗିଲା ନିଆଁ । ବସଟି ବର କନିଆଙ୍କ ସମେତ ବର ଯାତ୍ରୀଙ୍କୁ ଧରି ଫେରୁଥିଲା । ମାତ୍ର ହଠାତ୍ ଦ୍ରୁତ ଗତିରେ ଥିବା ବସ୍ରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ କେହି ମୃତାହତ ହୋଇ ନ ଥିବା ବେଳେ ବସ୍ରେ ଥିବା ସମସ୍ତ ଯୌତୁକ ସାମଗ୍ରୀ ଜଳି ଯାଇଥିବା ଜଣାଯାଇଛି । ତେବେ ବସରେ ନିଆଁ ଲାଗିବା ସମୟରେ ଏଥିରେ ବରକନ୍ୟାଙ୍କ ସହିତ ପରିବାର ଲୋକ ମଧ୍ୟ ରହିଥିଲେ ।
ବସରେ ବର ଯାତ୍ରୀ ଏକ ବିବାହ ଉତ୍ସବକୁ ଯାଇଥିଲେ । ବିବାହ ସରିବା ପରେ ବର ଯାତ୍ରୀଙ୍କ ସମେତ ବର କନିଆ ବି ବସ୍ରେ ଫେରୁଥିଲେ । ବସ୍ଟି ଚନ୍ଦ୍ରପୁରରୁ ବୁଲଢାଣା ଫେରୁଥିଲା ବେଳେ ନିଆଁ ଲାଗିଯାଇଥିଲା । ବସ୍ରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଗାଡ଼ିକୁ ଛିଡ଼ା କରାଇ ଦେଇଥିଲେ । ଏହାପରେ ତୁରନ୍ତ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଖାଲି କରି ଦିଆଯାଇଥିଲା । ଆଖି ପିଛୁଳାକେ ବସ୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ଏହି ଘଟଣାରେ କେହି ମୃତାହ ହୋଇ ନାହାନ୍ତି । କିନ୍ତୁ ବାହାଘରରେ ମିଳିଥିବା ସମସ୍ତ ଜିନିଷ ପୋଡି ପାଉଶଁ ହୋଇଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଘଟଣାଟି ଆଜି ଭୋର ୪ଟା ବେଳେ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ବୁଲଢାଣା ପାଖରେ ଜେଓଲଗାଁ ଖାଣ୍ଡେ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସରେ ଥିବା ଯାତ୍ରୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ବର୍ଷା ଯୋଗୁଁ ବସର ଚକା ଖସିବା ଯୋଗୁଁ ବସଟି ଓଲଟି ପଡିଥିଲା । ଆଉ ବସର ଡିଜେଲ ଟାଙ୍କି ଫାଟିଯାଇଥିଲା । ଫଳରେ ବସରେ ନିଆଁ ଲାଗିଥିଲା । ବସରେ ୩୨ ଜଣ ଯାତ୍ରୀ ଥିଲେ । ନିଆଁ ଲାଗିବା ଯୋଗୁଁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଦୁର୍ଘଟଣା ଶନିବାର ରାତି ୨ଟାରେ ଘଟିଥିଲା। ଦୁର୍ଘଟଣା ଘଟିବା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ । ତେଣୁ ନିଆଁ ଲାଗିବା ଯୋଗୁଁ କେହି ବାହାରକୁ ତୁରନ୍ତ ବାହାରିପାରିନଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡିଥିଲା ।