ଆଗାମୀ ୨୪ ଘଣ୍ଟା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଅସାମଞ୍ଜସ୍ୟ ସ୍ଥିତି ଲାଗି ରହିଛି। ହ୍ଵାଇଟ ହାଉସର ଚିଫ ଅଫ ଷ୍ଟାଫ ମାର୍କ ମିଡୋଜ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍‌ ଚିନ୍ତା କରିଛନ୍ତି। ଆସନ୍ତା ୨୪ ଘଣ୍ଟା ଟ୍ରମ୍ପ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ୭୪ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କର ହୃଦ୍ ସମସ୍ୟା ରହିଛି। ଉଚ୍ଚ ରକ୍ତଚାପ ଏବଂ ହୃଦ୍ଘାତ ନିରାକରଣ ପାଇଁ ସେ ଏକ ଔଷଧ ଖାଉଛନ୍ତି। ୨୪୪ ପାଉଣ୍ଡ୍ ସହ ଟ୍ରମ୍ପ୍ଙ୍କ ଓଜନ ମୋଟାପଣର ସୀମାରେଖା ଅତିକ୍ରମ କରିଯାଇଛି। ଏହିସବୁ କାରଣ ପାଇଁ ଟ୍ରମ୍ପ୍ ଅତି ବିପଦରେ ରହିଛନ୍ତି ବୋଲି କୁହାଯାଉଥିବା ବେଳେ ଟ୍ରମ୍ପ ଭିଡିଓ ଜାରି କରି ଏହି କଥାକୁ ଖଣ୍ଡନ କରିଛନ୍ତି।


ହ୍ବାଇଟ୍ ହାଉସ୍ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ପ୍ଙ୍କର ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ସଂକ୍ରମଣ କେତେଦୂର ଅଗ୍ରଗତି କରିବ ତାହା ଏବେଠୁ କହିବା ଠିକ୍ ହେବନାହିଁ। ସଂକ୍ରାମକ ରୋଗ ବିଶେଷଜ୍ଞ ୱିଲିୟମ୍ ସ୍କାଫନର କହିଛନ୍ତି ଟ୍ରମ୍ପ୍ଙ୍କ ଓଜନ ଏବଂ ବୟସ ପାଇଁ ସେ ଅତି ବିପଦରେ ରହିଛନ୍ତି। ଟ୍ରମ୍ପ୍ ଏବେ ଏକ ସାମରିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ। ତେବେ ଟ୍ରମ୍ପ୍ଙ୍କୁ ଶୀଘ୍ର ଆରୋଗ୍ୟ କରିବାପାଇଁ ଡାକ୍ତରମାନେ ଅତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତାଙ୍କୁ ଭିଟାମିନ୍ ଡି, ଜିଙ୍କ୍, ମେଲାଟୋନିନ୍, ଫାମୋଟିଡାଇନ୍, ଆଣ୍ଟାସିଡ୍ ଏବଂ ଆସ୍ପିରିନ୍ ଦିଆଯାଉଛି। ଆମେରିକାରୁ ମିଳିବାକୁ ଥିବା ଉତ୍ତମ ଚିକିତ୍ସା ଦ୍ବାରା ଟ୍ରମ୍ପ୍ ଶୀଘ୍ର ସୁସ୍ଥ ହୋଇଯାଇପାରନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.