ନାଇଜେରିଆରେ ସିରିଜ ବିସ୍ଫୋରଣ: ଆତ୍ମଘାତୀ ଆକ୍ରମଣରେ ୧୮ ମୃତ, ୪୮ ଆହତ

ନାଇଜେରିଆରେ ସିରିଜ ବିସ୍ଫୋରଣ । ଉତ୍ତର ପୂର୍ବ ନାଇଜେରିଆରେ ଆତ୍ମଘାତୀ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ, ୪୮ ଆହତ ହୋଇଛନ୍ତି । ନାଇଜେରିଆ ବର୍ଣ୍ଣୋରେ ପଛକୁ ପଛ ତିନିଟି ସ୍ଥାନରେ ବିସ୍ଫୋରଣ ହୋଇଛି । ପ୍ରଥମ ବିସ୍ଫୋରଣ ନାଇଜେରିଆର ସ୍ଥାନୀୟ ସମୟ ଅପରାହ୍ନ ୩ଟା ବେଳେ ହୋଇଥିଲା । ଏକ ବିବାହ ଉତ୍ସବରେ ବୋମା ବିସ୍ଫୋରଣ ହୋଇଥିଲା ।

ଏହା ପରେ ଦ୍ବିତୀୟ ବିସ୍ଫୋରଣ ଏକ ମେଡିକାଲ ପରିସରରେ ହୋଇଥିଲା । ଏହାପରେ ଏକ ଅନ୍ତିମ ଶୋଭାଯାତ୍ରା ବେଳେ ତୃତୀୟ ବିସ୍ଫୋରଣ ହୋଇଥିଲା । ୩ ବିସ୍ଫୋରଣରେ ୧୮ ଜଣ ନିହତ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ମହିଳା ଓ ଶିଶୁ ଥିବା ସୂଚନା ରହିଛି । ତେବେ ବିସ୍ଫୋରଣ କିଏ କରିଛି ଏବଂ ଏହା ପଛରେ କାହାର ହାତ ରହିଛି, ତାକୁ ନେଇ କିଛି ସ୍ପଷ୍ଟ ହୋଇ ପାରି ନାହିଁ ।

ଗ୍ୱୋଜା ସହରରେ ହୋଇଥିବା ୩ଟି ବିସ୍ଫୋରଣ ମଧ୍ୟରୁ ଜଣେ ମହିଳା ଆକ୍ରମଣକାରୀ ତାଙ୍କ ପିଠିରେ ଶିଶୁ ସହ ବିସ୍ଫୋରକ ସାମଗ୍ରୀ ବାନ୍ଧି ଏକ ବିବାହ ଉତ୍ସବରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ପିଲା, ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ସାମିଲ ରହିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରି ନାହାଁନ୍ତି ।