ମୁମ୍ବାଇ: ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ, ୯ ଆହତ

ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଏହି ସିଲିଣ୍ଡର ବିସ୍ଫୋରଣ ପରେ ଚେମ୍ବୁରର ସିଦ୍ଧାର୍ଥ ନଗରସ୍ଥିତ ଜୈନ ମନ୍ଦିର ସମ୍ମୁଖ ଏକ ଘରେ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ବ୍ୟକ୍ତି ଅତି ଗୁରୁତର ଭାବରେ ପୋଡି ହୋଇଯାଇଛନ୍ତି । ଯଦିଓ ଅଧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା ।

୬ ଜଣଙ୍କୁ ରାଜାୱାଡି ଏବଂ ଅନ୍ୟମାନଙ୍କୁ ନିକଟସ୍ଥ ସାୟନ, ଶତାବ୍ଦୀ ଏବଂ ମାନେକ ଡାକ୍ତରଖାନା ନିଆଯାଇଛି । ୫୬ ବର୍ଷୀୟ ରମେଶ ଗାଇକୱାଡ ୬୦ ପ୍ରତିଶତ ଜଳି ଯାଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ମୁମ୍ବାଇ ଅଗ୍ନିଶମ ବିଭାଗର ବୟାନ ଅନୁସାରେ, ଅନ୍ୟମାନେ ୨୦ରୁ ୪୦ ପ୍ରତିଶତ ଜଳି ଯାଇଥିବା ବେଳେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି ।

ଜଣେ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣ ହେତୁ ଘରର କାନ୍ଥ ଭୁଶୁଡି ପଡିଥିଲା ଏବଂ ପାଖ ଦୋକାନର ଛାତ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣା ଚେମ୍ବୁରର ସିଜି ଗିଡୱାନି ରୋଡରେ ଥିବା ଏକ ଘରେ ସକାଳ ପ୍ରାୟ ୭ଟା ୩୦ ମିନିଟ୍‌ରେ ଘଟିଥିଲା । ଯେତେବେଳେ ଜଣେ ମହିଳା ରୋଷେଇ ପାଇଁ ଗ୍ୟାସ୍ ଚୁଲ୍ଲି ଲଗାଇଥିଲେ, ସେହି ସମୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା ।

ଅଧିକାରୀ କହିଛନ୍ତି, ପୂର୍ବରୁ ସିଲିଣ୍ଡରରୁ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (ଏଲପିଜି) ଲିକ୍ ହେଉଥିଲା । ତେଣୁ ଚୁଲ୍ଲି ଜଳାଇବା କ୍ଷଣି ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଏହାକୁ ଆୟତ୍ତ କରି ନିଆଯାଇଥିଲା ।

ସୂଚନା ମୁତାବକ, ଏହି ଘଟଣାରେ ଘର ଭିତରେ ଥିବା ୮ ଜଣ ଏବଂ ବିଲ୍ଡିଂ ବାହାରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଦୁଇ ନାବାଳକ ଏବଂ ତିନି ଜଣ ମହିଳା ଅଛନ୍ତି ।

You might also like