କେରଳରେ ପୁଣି ନିପା ଭାଇରସ: ଜଣେ ଆକ୍ରାନ୍ତ ଚିହ୍ନଟ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ପ୍ରଶାସନ

ନୂଆଦିଲ୍ଲୀ : କେରଳରେ ପୁଣି ନିପା ଭାଇରସ୍ ଆତଙ୍କ ।  ମାଲାପୁରମରେ ଜଣେ ୧୪ ବର୍ଷର ନାବାଳକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ପ୍ରଥମ ଭାଇରସ ଚିହ୍ନଟ ହେବା ପରେ ହାଇ ଆଲର୍ଟରେ କେରଳ ।  ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ।  ଭାଇରସକୁ କିଭଳି ରୋକାଯାଇ ପାରିବ, ସେ ନେଇ ପଦକ୍ଷେପ ଉପରେ ଆଲୋଚନା ହୋଇଛି ।  ମାଲପୁରମରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ନାବାଳକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବ। ସମସ୍ତଙ୍କ ନମୂନା ପରୀକ୍ଷା ପାଇଁ ପଠାଯିବ ।

ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି ।  ନିପା ଆକ୍ରାନ୍ତ ନାବାଳକ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କୁ କୋଝିକୋଡ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇପାରେ ।  ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଭାଇରସ ପ୍ରାଣୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ୨୦୧୮ରେ କେରଳରେ ୧୭ ଜଣଙ୍କ ଜୀବନ ନେଇଥିଲା ନିପା ଭାଇରସ ।

 

You might also like