ନିର୍ଭୟା ମାମଲା: ‘ଭଗବାନ ନୁହଁନ୍ତି ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ଜଜ୍‌’, ଜାଣନ୍ତୁ କାହିଁକି ଏମିତି କହିଲେ ଦୋଷୀଙ୍କ ଓକିଲ?

୧ ଫେବୃୟାରୀରେ ସ୍ଥିର ହୋଇଥିବା ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରତିଦିନ ନୂଆ ନୂଆ ଚ୍ୟାଲେଞ୍ଜ୍‌ ଦେଉଛନ୍ତି ନିର୍ଭୟା ଦୋଷୀ। ତେବେ ବୁଧବାର ଦୋଷୀ ଅକ୍ଷୟ କୁମାର ସିଂର ସଂଶୋଧକ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଏବେ ଏହି ଚ୍ୟାଲେଞ୍ଜ ମଧ୍ୟ ଫସର ଫାଟିଯାଇଛି। ଏ ନେଇ ଦୋଷୀମାନଙ୍କ ଓକିଲ ଏପି ସିଂ କହିଛନ୍ତି, ‘ନିଷ୍ପତ୍ତି ଶୁଣାଉଥିବା ସୁପ୍ରିମକୋର୍ଟଙ୍କ ୫ଜଣ ଜଜ୍‌ ହୁଅନ୍ତୁ କି ରାଷ୍ଟ୍ରପତି, ସେମାନେ ଭଗବାନ ନୁହଁନ୍ତି। ଏମିତି ନୁହେଁ ଯେ ସେମାନେ କୌଣସି ଭୁଲ୍‌ କରିପାରିବେ ନାହିଁ’।

n1

ଏଥିପାଇଁ ଟଳିପାରେ ଫାଶୀ

ନିୟମ ମୁତାବକ, ଯଦି କୌଣସି ମାମଲାରେ ୧ରୁ ଅଧିକ ଦୋଷୀଙ୍କୁ ଫାଶୀ ଦିଆଯିବାକୁ ଅଛି, ତା’ହେଲେ ଜଣକଙ୍କର ବି ପିଟିସନ ବିଚାରାଧୀନ ଥିବା ଯାଏ ସମସ୍ତ ଦୋଷୀଙ୍କ ଫାଶୀ ଅଟକିପାରେ। ନିର୍ଭୟା କେସ୍‌ ମଧ୍ୟ ଠିକ୍‌ ଏହିପରି। ୧ ଫେବୃୟାରୀରେ ଫାଶୀ ଅଟକିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ, ଦୋଷୀକୁ ଫାଶୀ ଦେବାର ୧୪ ଦିନ ପୂର୍ବରୁ ଏ ବିଷୟରେ ଜଣାଇବା ଜରୁରୀ ହୋଇଥାଏ।

ସେପଟେ ଦୋଷୀ ମୁକେଶ ସିଂର ସବୁ ବିକଳ୍ପ ସରିଯାଇଥିବା ବେଳେ ବିନୟ ଶର୍ମାର କ୍ଷମା ପିଟିସନ ଏବେ ବି ବିଚାରାଧୀନ ରହିଛି। ସେହିପରି ଅକ୍ଷୟ ସିଂ ପାଖରେ ରାଜକ୍ଷମା ଆବେଦନର ବିକଳ୍ପ ଏବଂ ପବନ ଗୁପ୍ତା ପାଖରେ ସଂଶୋଧକ ଓ ରାଜକ୍ଷମା ଆବେଦନର ବିକଳ୍ପ ବାକି ରହିଛି।

n2

ଦୋଷୀଙ୍କ ବିରୋଧରେ ଲୁଟ୍‌ ଏବଂ ଅପହରଣ ମାମଲା

ଦୋଷୀମାନଙ୍କ ଓକିଲ ଏପି ସିଂ ପଟିୟାଲା ହାଉସ୍‌ କୋର୍ଟଙ୍କୁ କହିଥିଲେ ଯେ ‘ପବନ, ମୁକେଶ, ଅକ୍ଷୟ ଓ ବିନୟକୁ ଏକ ଲୁଟ୍‌ ମାମଲାରେ ନିମ୍ନ ଅଦାଲତ ୧୦ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ଅପିଲ ଏବେ ବି ହାଇକୋର୍ଟରେ ବିଚାରାଧୀନ ରହିଛି। ଯେ ପଯ୍ୟର୍ନ୍ତ ଏହା ଉପରେ ନିଷ୍ପତ୍ତି ନ ହୋଇଛି, ଦୋଷୀମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ’।

n5

ଆଶା ଅଛି, ୧ ଫେବୃୟାରୀରେ ହେବ ଫାଶୀ

ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ଵାହା କହିଛନ୍ତି, ‘ଦୋଷୀମାନଙ୍କ ପାଖରେ କେବଳ ରାଜକ୍ଷମା ଆବେଦନର ହିଁ ବିକଳ୍ପ ରହିଛି। ଆମେ ଫାଶୀ ତାରିଖର ବହୁତ ନିକଟରେ ଅଛୁ। ଏବେ ଦୋଷୀମାନଙ୍କୁ କୌଣସି ବି ପରିସ୍ଥିତିରେ ମୁକ୍ତି ମିଳିବାର ନାହିଁ। ମୋର ଆଶା ରହିଛି, ସେମାନଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ’।

n3

କ’ଣ ମୁକେଶକୁ କାଲି ଦିଆଯିବ କି ଫାଶୀ?

ଘାତକ ପବନ ତିହାର ଜେଲ୍‌ରେ ପହଞ୍ଚିବା ପରେ ୧ ଫେବୃୟାରୀରେ ମୁକେଶକୁ ଫାଶୀ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର୍‌ଦାର ଚାଲିଛି। ଗୋଟିଏ ପରେ ଗୋଟିଏ ପିଟିସନ ଖାରଜ ହେବା ପରେ ଏବେ ଏହା ଉପରେ ଚର୍ଚ୍ଚା ହେଉଛି। କିନ୍ତୁ ଏ ନେଇ ଜେଲ୍‌ କତ୍ତୃପକ୍ଷ ମୁହଁ ଖୋଲିନାହାନ୍ତି।

ସେପଟେ ଜେଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ୪ ଦୋଷୀଙ୍କୁ ଗୋଟିଏ ଦିନରେ ଫାଶୀ ଦିଆ ନ ଯାଇ ଅଲଗା ଅଲଗା ଦିନରେ ଫାଶୀ ଖୁଣ୍ଟରେ ଝୁଲାଇବା ଉପରେ ବିଚାର ଚାଲିଛି। କିଛି ଅଧିକାରୀଙ୍କ କହିବା ହେଲା, ଅଲଗା ଅଲଗା ଦିନରେ ଫାଶୀ ଦେବାରେ ଆଇନତଃ କୌଣସି ବାଧା ନାହିଁ। ଜେଲ୍‌ ମାନୁଆଲ୍‌ରେ ମଧ୍ୟ କୌଣସି ପ୍ରକାର ଅସୁବିଧା କଥା ଉଲ୍ଲେଖ ନାହିଁ। କିନ୍ତୁ କିଛି ଅଧିକାରୀ କହିଥିଲେ, ଗୋଟିଏ ଅପରାଧରେ ଜଡ଼ିତ ସମସ୍ତ ଦୋଷୀଙ୍କୁ ଗୋଟିଏ ଦିନରେ ହିଁ ଫାଶୀ ଦିଆଯିବ।

ତେବେ ଅନ୍ୟ ଦୋଷୀମାନଙ୍କୁ ଛାଡ଼ି ମୁକେଶର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିବାରୁ ତାକୁ ୧ ଫେବୃୟାରୀରେ ଫାଶୀ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

n7

ତିହାର ଜେଲ୍‌ରେ ଘାତକ

ଗୁରୁବାର ସନ୍ଧ୍ୟାରେ ଘାତକ ପବନ କୁମାର ତିହାର ଜେଲ୍‌ରେ ପହଞ୍ଚିଛି। ଏଠି ତା’ର ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଜେଲ୍‌ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଘାତକର ଉପସ୍ଥିତିରେ ଫାଶୀ ଅଭ୍ୟାସ କରାଯିବ। ଏହି ସମୟରେ ସମସ୍ତ କର୍ମଚାରୀ ଏବଂ ଅଧିକାରୀ ଉପସ୍ଥିତ ରହିବେ। ଆହୁରି ମଧ୍ୟ କୁହାଯାଇଛି, ଯେଉଁ କର୍ମଚାରୀ ଏବଂ ଅଧିକାରୀ ଉପସ୍ଥିତ ରହିବେ, ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଜେଲ୍‌ ପ୍ରଶାସନ ବକ୍ସରରୁ ମଗାଇଥିବା ରଶିକୁ ଶୁକ୍ରବାର ଅଭ୍ୟାସ ସମୟରେ ଘାତକକୁ ହସ୍ତାନ୍ତର କରିବେ, ଯଦ୍ଦ୍ଵାରା ସେ ଫାଶ ପ୍ରସ୍ତୁତ କରିବ। ଏହାପୂର୍ବରୁ ସେ ଦୋଷୀର ରିପୋର୍ଟ ଦେଖିବ ଏବଂ ଫାଶର ଲମ୍ବା ସ୍ଥିର କରିବ।

ଦୋଷୀମାନଙ୍କ ଓଜନ ଅନୁସାରେ ପୁତୁଳାର ଓଜନ ସ୍ଥିର କରାଯିବ। ଅଭ୍ୟାସ ସମୟରେ କୌଣସି ଅସୁବିଧା ହେଲେ, ତୁରନ୍ତ ତାହାକୁ ସୁଧରାଯିବ। ଫାଶୀ ଘର ଶାନ୍ତ ରହିବ ଏବଂ ସମସ୍ତ କଥା ଈଶାରାରେ କରାଯିବ। ଜେଲ୍‌ ସୂତ୍ରରୁ ଜଣାପଡ଼ିଛି, ଫାଶୀର ପୂରା ପ୍ରକ୍ରିୟାରେ ୩ ଘଣ୍ଟା ସମୟ ଲାଗିଥାଏ। ଫାଶୀଦିନ ଦୋଷୀମାନଙ୍କୁ ସକାଳ ୫ଟାରେ ଉଠାଇ ଦିଆଯାଏ। ଗାଧୋଇ ସାରିବା ପରେ ସେମାନଙ୍କୁ ନୂଆ କପଡ଼ା ପିନ୍ଧାଇ ଦିଆଯାଏ। ଏହାପରେ ଚା’, ଜଳଖିଆ ବିଷୟରେ ପଚରାଯାଇଥାଏ।

n77

ଏହି ସମୟରେ ଜେଲ୍‌ ଅଧୀକ୍ଷକ, ଉପ ଅଧୀକ୍ଷକ, ମେଡିକାଲ ଅଫିସର, ସବ୍‌ ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ ଏବଂ ପାଖାପାଖି ୧୨ ସୁରକ୍ଷା କର୍ମଚାରୀ ସେଠାରେ ପହଞ୍ଚନ୍ତି। ମାଜିଷ୍ଟ୍ରେଟ୍‌ ଦୋଷୀମାନଙ୍କୁ ଶେଷ ଇଚ୍ଛା ପଚାରନ୍ତି। ବିଶେଷ କରି ସମ୍ପତ୍ତି କାହା ନାଁରେ କରିବେ, କୌଣସି ଓ୍ଵିଲ୍‌ କରିବା ନେଇ ଅନୁମତି ଦିଆଯାଇଥାଏ।

ଏହାପରେ ଘାତକ ଦୋଷୀମାନଙ୍କ ମୁହଁକୁ କଳା କପଡ଼ାରେ ଢାଙ୍କି ହାତକୁ ପଛପଟୁ ବାନ୍ଧି ଦେଇଥାଏ। ଧାଯ୍ୟର୍ ସମୟରେ ସୁରକ୍ଷା କର୍ମଚାରୀମାନଙ୍କ ସାହାଯ୍ୟରେ ଦୋଷୀମାନଙ୍କୁ ଫାଶୀ ଘରକୁ ନିଆଯାଇଥାଏ। ଘାତକ ଏହାପୂର୍ବରୁ ସେଠାରେ ଫାଶୀ ଦଉଡ଼ି ଝୁଲାଇ ରଖିଥାଏ। ଦୋଷୀମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କ ବେକରେ ଫାଶ ପକାଇ ଦିଆଯାଇଥାଏ ଏବଂ ଜେଲ୍‌ ଅଧୀକ୍ଷକଙ୍କ ଈଶାରା ମିଳିବା ପରେ ଘାତକ ଲିଭର୍‌ ଟାଣିଦେଇଥାଏ। ଏହାର ପାଖାପାଖି ୨ ଘଣ୍ଟା ପରେ ମେଡିକାଲ ଯାଞ୍ଚ କରାଯାଏ ଏବଂ ମେଡିକାଲ ଅଫିସର ମୃତ୍ୟୁ ପ୍ରମାଣପତ୍ର ଜାରି କରିଥାଆନ୍ତି।

Leave A Reply

Your email address will not be published.