ସୁପ୍ରିମକୋର୍ଟଙ୍କ ଅନୁମତି ପରେ ବି ସୋମବାର ଜାରି ହୋଇପାରିବ ନାହିଁ ଡେଥ୍ ଓ୍ଵାରେଣ୍ଟ, ଜାଣନ୍ତୁ ନିର୍ଭୟା ଦୋଷୀଙ୍କ ରକ୍ଷା କବଚ ସାଜିଛି କିଏ?
ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚିଯାଉଛି। ଟ୍ରାଏଲ କୋର୍ଟ ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି କରିପାରିବେ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଘୋଷଣା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦେବାରେ ଅନେକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା ଡେଥ୍ ଓ୍ଵାରେଣ୍ଟ ଜାରି କରିବାରେ କି କି ସମସ୍ୟା ଆସିପାରେ…
ମୁକେଶ, ଅକ୍ଷୟ, ବିନୟ ଓ ପବନ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ପବନଙ୍କୁ ଛାଡ଼ି ବାକି ତିନି ଜଣଙ୍କ ସମସ୍ତ ଆଇନ୍ତଃ ବଞ୍ଚିବା ବିକଳ୍ପ ଶେଷ ହୋଇସାରିଛି। କେବଳ ପବନର କ୍ୟୁରେଟିଭ୍ ପିଟିସନ୍ ଓ ଦୟା ପିଟିସନ୍ ବାକି ଅଛି। ମାତ୍ର ଗୁରୁବାର ହୋଇଥିବା ଶୁଣାଣି ବେଳେ ଦୋଷୀଙ୍କ ଓକିଲ ଏପି ସିଂହ କୋର୍ଟଙ୍କୁ କହିଥିଲେ ଯେ ସେ ପବନଙ୍କ କେସ୍ ଛାଡ଼ିଦେଇଛନ୍ତି। ପରେ କୋର୍ଟ ତରଫରୁ ପବନଙ୍କ ନୂଆ ଓକିଲ ରବି କାଜିଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ତାଙ୍କୁ କେସ୍ ଷ୍ଟଡି ପାଇଁ ସୋମବାର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ସେ ଆହୁରି ଅଧିକ ସମୟ ମାଗିଛନ୍ତି। ଏଣୁ ଚାରି ଦୋଷୀଙ୍କ ଫାଶୀ ସମୟ ଘୁଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି।
କୋର୍ଟ ଏହି କେସ୍ ଉପରେ ସମ୍ପୂର୍ଣ୍ଣ ନଜର ରଖିଥିଲେ ବି ନିଜେ ହିଁ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଦୋଷୀଙ୍କ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ। ଏଭଳିସ୍ଥିତିରେ ଦୋଷୀଙ୍କୁ ବଞ୍ଚାଇବା ପାଇଁ କୋର୍ଟ ସମସ୍ତ ମଉକା ଦେଉଛନ୍ତି। ତେବେ ଚାରି ଜଣ ଯାକ ଦୋଷୀଙ୍କ ପିଟିସନ୍ ନ ସରିବା ଯାଏଁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଜଣାଯାଇଛି।