ନିଠାରି ସିରିୟଲ ହତ୍ୟାକାଣ୍ଡ : ୧୯ ବର୍ଷ ପରେ ବି ସରି ନାହିଁ ମାମଲା

ଫେବ୍ରୁଆରୀ ୮ ତାରିଖ, ୨୦୦୫ । ଦିଲ୍ଲୀ ନିଠାରି ଗାଁର ୧୪ ବର୍ଷର ଝିଅ ରିମ୍ପା ହାଲଦାର ନିଖୋଜ ନେଇ ତାର ବାପା ମାଆ ଥାନାରେ ଏତଲା ଦେବାକୁ ଚେଷ୍ଟା କଲେ । ହେଲେ ସଫଳ ହେଲେ ନାହିଁ । … କିଛି ଦିନ ପରେ ନିଠାରି ଗାଁର ସେକ୍ଟର-୩୧ ସ୍ଥିତ ଡି-୫ ବଙ୍ଗଳା ପଛ ପଟେ ଖେଳୁଥିବା ବେଳେ କିଛି ପିଲା ଡ୍ରେନ୍ରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ପଡ଼ିଥିବା ଦେଖି ପୋଲିସ୍କୁ ଜଣାଇଲେ । ସେଥିରେ ମଣିଷର କିଛି କଟା ଅଙ୍ଗ ଥିଲା । ହେଲେ ପୋଲିସ୍ କହିଲା ସେ କିଛି ନୁହେଁ ।
ମେ ୭ ତାରିଖ ୨୦୦୬ । ନନ୍ଦଲାଲଙ୍କ ଝିଅ ପାୟଲ ଡି-୫ ବଙ୍ଗଳାକୁ ଯାଇଥିଲା । ହେଲେ ଆଉ ଫେରିଲାନାହିଁ । ଏଇ ବଙ୍ଗଳାରେ ରହୁଥିଲା ବ୍ୟବସାୟୀ ମନିନ୍ଦିର ସିଂହ ପାନ୍ଧେର । ଆଉ ତା ଘରେ କାମ କରୁଥିଲା ସୁରେନ୍ଦର କୋଲି ନାମକ ଯୁବକ । ନନ୍ଦ ଲାଲ ସେହି ଘରକୁ ଯାଇ କୋଲିକୁ ପଚାରିବାରୁ ସେ ପାୟଲ ଆସିଥିବା କଥାକୁ ମନା କଲା । ଏହା ପରେ ନନ୍ଦଲାଲ ଥାନାକୁ ଯାଇଥିଲା ରିପୋର୍ଟ ଲେଖାଇବା ପାଇଁ । ହେଲେ ପୋଲିସ୍ ଏଫ୍ଆଇଆର ରଖିଲା ନାହିଁ । ଏହା ପରେ ନନ୍ଦ ଲାଲ ନୋଏଡା ଏସ୍ଏସ୍ପିଙ୍କୁ ଦେଖା କଲେ । ତାଙ୍କରି ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ୍ ମାମଲା ରୁଜୁ କଲା ଏବଂ ଧୀରେ ଧୀରେ ଖୋଲିଲା ଭୟଙ୍କର ନିଠାରି ସିରିୟଲ ହତ୍ୟାକାଣ୍ଡର ଗୁମର । ତଦନ୍ତ ପରେ ମିଳିଲା ଅନେକ କଙ୍କାଳ । ପାନ୍ଧେରଙ୍କ ବଙ୍ଗଳା ପଛପଟ ଓ ସମନା ଡ୍ରେନ୍ରୁ ଏବଂ ଘର ଭିତରୁ ଜବତ ହେଲା ମଣିଷର ଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗ । ଗିରଫ ହେଲେ ପାନ୍ଧେର ଓ କୋଲି । ତେବେ ସେମାନଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନଥିବାରୁ ଖସିଗଲେ । ଏପଟେ ହିସାବକୁ ଆସିଲା ଯେ ନିଠାରି ଅଞ୍ଚଳରୁ ଅନେକ ପିଲା, ଯୁବତୀ ଓ ମହିଳା ନିଖୋଜ ଅଛନ୍ତି । ଘଟଣା ଜଣାପଡ଼ିବା ପରେ ସମସ୍ତଙ୍କ ଅଭିଭାବକ ଏକାଠି ହେଲେ । କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଗଲା ଓ ଜୋରଦାର ଦାବି ହେଲା ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ।
ଜାନୁଆରୀ ୧୧, ୨୦୦୭ । ବିଭିନ୍ନ ମହଲରୁ ପ୍ରବଳ ଚାପ ପରେ ସିବିଆଇକୁ ମାମଲା ହସ୍ତାନ୍ତର କଲେ ଉତ୍ତର ପ୍ରଦେଶ ସରକାର । ଏହା ପରେ ପଦାକୁ ଆସିଲା ଜହ୍ଲାଦ କୋଲିର କାରନାମା । ଲଗାତର ଜେରା ପରେ କୋଲି ସ୍ୱୀକାର କଲା ସେ ମୋଟ୍ ୧୬ ଜଣଙ୍କୁ ହତ୍ୟା କରିଛି । ୯ ଜଣ ବାଳିକା, ୨ ଜଣ ପୁରୁଷ ଏବଂ ୫ ଜଣ ମହିଳାଙ୍କୁ ହତ୍ୟା କରିଥିବା ୨୦୦୭ ଫେବ୍ରୁଆରୀ ୨୭ରେ ମାଜିଷ୍ଟ୍ରେଟ୍ଙ୍କ ଆଗରେ ତାର ବୟାନ୍ରେ କହିଥିଲା । ଯାହାକୁ ଶୁଣିଲେ ହୃଦୟ ଥରି ଯିବ ।
ଖାଲି ହତ୍ୟା ନୁହେଁ ଏଇ ମଣିଷ ରୂପୀ ରାକ୍ଷସ କିଭଳି ମାରୁଥିଲା ଓ ମୃତଦେହ ସହ କଣ କରୁଥିଲା ସେ କଥା ବି ବଖାଣିଥିଲା । ଡ୍ରଇଂ ରୁମ୍ରେ ଜଣ ଜଣକୁ ହତ୍ୟା କରିବା ପରେ ମୃତଦେହକୁ ଘର ଉପର ମହଲାରେ ଥିବା ବାଥ୍ରୁମ୍କୁ ନେଇଯାଉଥିଲା । ଅନେକ ସମୟରେ ମୃତଦେହ ସହିତ ଯୌନକ୍ରିୟା ମଧ୍ୟ କରୁଥିଲା । ପୁଣି ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେଥିରୁ କିଛି ରାନ୍ଧି ଖାଉଥିଲା । ବାକି କଟା ଅଙ୍ଗଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଭର୍ତ୍ତି କରି ଘର ପଛ ପଟ ଡ୍ରେନ୍ରେ ପକାଇ ଦେଉଥିଲା । କୋଲିର ସ୍ୱୀକାରୋକ୍ତି ଅନୁସାରେ ସେ ଦିନ ୯ଟାରୁ ଅପରାହ୍ନ ୪ଟା ଭିତରେ ଏସବୁ ହତ୍ୟାକାଣ୍ଡ ଡ୍ରଇଂ ରୁମ୍ରେ ଘଟାଇଥିଲା ।
ଆଶ୍ଚର୍ଯ୍ୟର କଥା ହେଉଛି କୋଲି ଯେତୋଟି ହତ୍ୟାକାଣ୍ଡ ଘଟାଇଛି ସେ ସମୟରେ ଘର ମାଲିକ ପାନ୍ଧେର ଅନୁପସ୍ଥିତ ଅଛନ୍ତି । ପୁଣି ବଗିଚାରେ ଅନ୍ୟ ଲୋକମାନେ କାମ କରୁଥିବା ବେଳେ ସେ କିଭଳି ଏହି ସବୁ ଜଘନ୍ୟ କାଣ୍ଡ ଘଟାଉଥିଲା ? ଯେଉଁଭଳି ଭାବେ ଘଟଣା ସବୁ ଘଟିଛି ସେଥିରେ ଏକାକୀ କୋଲିର ସଂପୃକ୍ତି ରହିଥିବା ବିଶ୍ୱାସଯୋଗ୍ୟ ହେଉ ନାହିଁ । ଆହୁରି ମଧ୍ୟ ସିବିଆଇ ଘର ମାଲିକ ପାନ୍ଧେରଙ୍କୁ ଦୋଷମୁକ୍ତ କରିଥିବା ବେଳେ କୋଲିକୁ ଜଣେ ମଣିଷ ଖିଆ ହିଂସ୍ର ଭାବେ ବର୍ଣ୍ଣନା କରିଛି ।
ଏପର୍ଯ୍ୟନ୍ତ ମୋଟ୍ ୧୧ଟି ମାମଲାରେ କୋଲିକୁ ଅଦାଲତ ଫାଶି ଦଣ୍ଡାଦେଶ ଦେଇଛନ୍ତି । ହତ୍ୟା, ଅପହରଣ, ଦୁଷ୍କର୍ମ ଉଦ୍ୟମ ଏବଂ ପ୍ରମାଣ ନଷ୍ଟ ଉଦ୍ୟମ ଭଳି ଅଭିଯୋଗ ରହିଛି କୋଲି ବିରୋଧରେ । ଗତ ଶନିବାର ଦିନ ତାକୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଜଣେ ୧୦ ବର୍ଷ ବୟସ୍କ ନାବାଳିକାର ହତ୍ୟା ଅଭିଯୋଗରେ ଫାଶି ଏବଂ ଅର୍ଥଦଣ୍ଡ ଦେଇଛନ୍ତି । ଯିଏକି ପାନ୍ଧେର ଘରକୁ ଆଇରନ୍ କପଡ଼ା ଦେବାକୁ ଯାଇ ନିଖୋଜ ହୋଇଯାଇଥିଲା । ହେଲେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପୁଣି ଖଲାସ ହୋଇଛି ପାନ୍ଧେର । ଆଉ ଦୋଷୀ ସାବ୍ୟସ୍ତ ହୋଇଛି ନରପିଶାଚ କୋଲି ।
ତଥାପି ଅସମାହିତ ରହିଛି ଏହି ହତ୍ୟା ଘଟଣା ପଛର କାହାଣୀ । ଅନେକ ପ୍ରଶ୍ନର ଉତ୍ତର ଏବେବି ମିଳୁ ନାହିଁ । କୋଲି ତାର ବୟାନ୍ରେ ଯାହା କହିଛି, କଣ କେବଳ ସେହି କାରଣ ପାଇଁ ହତ୍ୟା କରୁଥିଲା ନା ମନୁଷ୍ୟ ଅଙ୍ଗ ଚାଲାଣର ଏକ ର୍ୟାକେଟ୍ ଏହା ପଛରେ ରହିଛି ? ଏତେ ହତ୍ୟାକାଣ୍ଡ ଘଟିବା ପରେ ବି କିଭଳି ଘର ମାଲିକ ମନିନ୍ଦର ସିଂହ ପାନ୍ଧେର କିମ୍ବା ସେଠାରେ କାମ କରୁଥିବା ଲୋକେ କିଛି ବି ଜାଣି ପାରି ନଥିଲେ କେମିତି ? କାରଣ ସବୁ ହତ୍ୟାକାଣ୍ଡ ଦିନ ବେଳା ହୋଇଛି । ଯଦି ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣର ସନ୍ଦେହ ରହୁଥିଲା ତେବେ ସିବିଆଇ କାହିଁକି ସେ ଦିଗରେ ତଦନ୍ତ କଲା ନାହିଁ କି ଆଖପାଖ ଡାକ୍ତରଖାନାକୁ ଅନୁସନ୍ଧାନ ପରିସରଭୁକ୍ତ କଲା ନାହିଁ ? ନିଠାରି ଅଞ୍ଚଳରେ ଏତେ ଲୋକ ନିଖୋଜ ରହୁଥିବା ବେଳେ ଅଭିଯୋଗକୁ କାହିଁକି ପୋଲିସ୍ ଗ୍ରହଣ କରୁ ନଥିଲା ?
ଏମିତି ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ତାର ଉତ୍ତର ଦେବାକୁ ଯେମିତି କେହି ନାହିଁ । ପ୍ରାୟ ୧୨ ବର୍ଷ ଧରି ଚାଲିଥିବା ନିଠାରି ସିରିୟଲ କିଲର୍ ମାମଲା ତଥପି ସରି ନାହିଁ । କୋଲି ଉପରେ ଆହୁରି କିଛି ହତ୍ୟା ଆରୋପ ରହିଛି । ତଥାପ ନ୍ୟାୟ ପାଇ ନାହାନ୍ତି ନିଜ ପିଲା ଓ ସମ୍ପର୍କୀୟଙ୍କୁ ହରାଇଥିବା ଲୋକେ ।