ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା: ନୀତିନ ଗଡକରୀ
ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ନଗଦବିହୀନ ଚିକିତ୍ସା ସେବା ଅର୍ଥାତ୍ କ୍ୟାସଲେସ୍ ଟ୍ରିଟମେଣ୍ଟ୍ । ଏଥିପାଇଁ ଭାରତ ସରକାର ମାର୍ଚ୍ଚ ସୁଦ୍ଧା ଏକ ଯୋଜନା ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି । ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ ।
ଏହି ଯୋଜନା ଅଧୀନରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇଁ ଯୋଗ୍ୟ ହେବେ । ସମସ୍ତ ପ୍ରକାର ରାସ୍ତାରେ ଯାନବାହନ ଦ୍ୱାରା ଘଟିଥିବା ଦୁର୍ଘଟଣାକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ପୋଲିସ, ହସ୍ପିଟାଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ସହ ମିଶି ପ୍ରୋଗ୍ରାମ୍ କାର୍ଯ୍ୟକାରିତାକୁ ତଦାରଖ କରିବ । ଏହା ଏକ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ଅପରେଟ୍ ହେବ, ଯାହା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଇ-ଡିଟେଲ୍ଡ ଆକ୍ସିଡେଣ୍ଟ ରିପୋର୍ଟ (eDAR) ଆପ୍ଲିକେସନକୁ NHAର ଟ୍ରାଞ୍ଜାକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ ସହିତ ମିଳାଇବ ।
ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏକ ସଂଶୋଧିତ ଯୋଜନା ନେଇ ଆସିବେ କେନ୍ଦ୍ର ସରକାର । ସୂଚନାଥାଉ କି, ୨୦୨୪ ମାର୍ଚ୍ଚ ୧୪ରେ ଚଣ୍ଡିଗଡ଼ରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା । ପରେ ଏହା ଅନ୍ୟ ୬ଟି ରାଜ୍ୟକୁ ବିସ୍ତାର କରାଯାଇଥିଲା । ଦୁର୍ଘଟଣା ପରେ ଠିକ୍ ସମୟରେ ଚିକିତ୍ସା ସେବା ନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ।
ନୀତିନ ଗଡକରୀ ସଡ଼କ ସୁରକ୍ଷା ଚ୍ୟାଲେଞ୍ଜର ସମାଧାନ ପାଇଁ ଚାଲିଥିବା ପ୍ରୟାସ ସମ୍ପର୍କରେ କହିଛନ୍ତି । ଏଥିରେ ପାଇଲଟଙ୍କ ଭଳି କମର୍ସିଆଲ୍ ଡ୍ରାଇଭରମାନଙ୍କ ପାଇଁ ମଧ୍ୟ କାର୍ଯ୍ୟ ସମୟ ପ୍ରସ୍ତୁତ କରାଯିବ । ଦେଶରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ଥିବା କଥା ଗଡକରୀ କହିଛନ୍ତି ।
ଏହାସହ କେନ୍ଦ୍ର ମନ୍ତ୍ରୀ ପୂରା ଭାରତରେ ଡ୍ରାଇଭର ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (DTI) ଆରମ୍ଭ କରିବା ବିଷୟରେ ଘୋଷଣା କରିଛନ୍ତି ।