‘ଗୁଟ୍‌ଖା ଖାଇ ରାସ୍ତାରେ ଛେପ ପକାଉଥିବା ଲୋକର ଫଟୋ ଖବରକାଗଜରେ ଛାପିବା ଉଚିତ୍‌’: ନୀତୀନ ଗଡକରୀ

ସ୍ୱଚ୍ଛ ଭାରତ ଅଭିଯାନକୁ ଆଜି ୧୦ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାରି ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି ।

ଏଠାରେ ନାଗପୁର ମହାନଗର ପାଳିକା ଦ୍ୱାରା ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଗଡକରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଯେଉଁମାନେ ରାସ୍ତାରେ ଗୁଟ୍‌ଖା ଖାଇ ଛେପ ପକାଉଛନ୍ତି, ସେମାନଙ୍କ ଫଟୋ ଖବରକାଗଜରେ ଛାପିବା ଉଚିତ୍‌ ।

ନୀତୀନ ଗଡକରୀ କହିଛନ୍ତି, ‘ଆମ ଲୋକ ବହୁତ ସ୍ମାର୍ଟ । ଚକୋଲେଟ୍‌ ଖାଆନ୍ତି, ଏହାର ଜରି ଫିଙ୍ଗି ଦିଅନ୍ତି । ବିଦେଶ ଗଲେ ପକେଟ୍‌ରେ ରଖନ୍ତି । ଅନ୍ୟ ଦେଶକୁ ଗଲେ ଉତ୍ତମ ବ୍ୟବହାର ଦେଖାନ୍ତି, କିନ୍ତୁ ନିଜ ଦେଶରେ କେଉଁଠି କିଛି ବି ଫିଙ୍ଗି ଦିଅନ୍ତି । ମୁଁ ବି ଆଜିକାଲି ଚକୋଲେଟ୍‌ ଖାଉଛି, ହେଲେ ଜରି ଘରେ ଯାଇ ଫିଙ୍ଗୁଛି’ ।

ଗଡକରୀ ଆହୁରି କହିଛନ୍ତି ଯେ ‘ଦିନ ଥିଲା ମୁଁ ବି ଚକୋଲେଟ୍‌ ଖାଇ ଗାଡ଼ିରୁ ଜରି ବାହାରେ ଫିଙ୍ଗି ଦେଉଥିଲି । କିନ୍ତୁ ଏହି ଅଭ୍ୟାସକୁ ମୁଁ ବଦଳାଇ ନେଇଛି । ମୁଁ ଦେଖୁଛି, ଲୋକମାନେ ପାନ ମସଲା ଖାଇ ରାସ୍ତାରେ ଏଣେ ତେଣେ ଛେପ ପକାଉଛନ୍ତି । ଏମିତି ଲୋକମାନଙ୍କ ଫଟୋ ଉଠାଇ ଖବରକାଗଜରେ ଛପାଇବା ଦରକାର’ ।

କହି ରଖୁଛୁ, ଆଜି ସ୍ୱଚ୍ଛ ଭାରତ ଅଭିଯାନ ୧୦ ବର୍ଷ ପୂରଣ କରିଛି । ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ପିଏମ୍‌ ମୋଦି ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ କହିଛନ୍ତି ଯେ ଆଜି ଆମେ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂରଣ ହେବାର ଉତ୍ସବ ପାଳନ କରୁଛୁ ।

You might also like