ଗତ ୨୪ ଘଣ୍ଟାରେ କରୋନାରେ କାହାର ବି ହୋଇନି ମୃତ୍ୟୁ, ୧୩୮ ଦିନ ପରେ ଆସିଲା ଖୁସିର ଦିନ

କରୋନା ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଖାସ୍‌ କରି ଦେଶର ସବୁଠୁ ଅଧିକ ସଂକ୍ରମିତ ସ୍ଥାନ ଦିଲ୍ଲୀରେ ସଂକ୍ରମଣ ହାର ହ୍ରାସ ପାଇଛି। ଦୀର୍ଘ ଦିନ ପରେ ରବିବାର ରାଜଧାନୀ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ରବିବାର ଦିଲ୍ଲୀରେ କାହାର ବି ମୃତ୍ୟୁ ହୋଇନାହିଁ। ୧୩୮ ଦିନ ପରେ ଏଭଳି ଦିନ ଆସିଛି। ଗତକାଲି ରାଜଧାନୀ ଦିଲ୍ଲୀରେ ମାତ୍ର ୫୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ପଜିଟିଭିଟି ରେଟ୍‌ କମି ୦.୦୭ ରେ ପହଞ୍ଚିଛି।

ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଟ୍ଵିଟ୍‌ କରି ଏହି ଖୁସି ଖବର ସେୟାର କରିଛନ୍ତି। ମନ୍ତ୍ରୀ ଟ୍ଵିଟ୍‌ କରି ଲେଖିଛନ୍ତି- ଏବେ ଦିଲ୍ଲୀରେ ମୋଟ୍‌ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଇ ୫୯୨ ହୋଇଛି। ଏଥିସହ ସେ ଲୋକଙ୍କୁ କରୋନା ନିୟମ ଅନୁପାଳନ କରିବାକୁ କହିଛନ୍ତି ଓ କରୋନା ଯୁଦ୍ଧରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।


ଏହା ପୂର୍ବରୁ ଚଳିତବର୍ଷ ୯, ୧୩, ୧୭ ଓ ୨୫ ଫେବ୍ରୁଆରୀ ଏବଂ ୨ ମାର୍ଚ୍ଚରେ ଦିଲ୍ଲୀରେ କରୋନାରେ କାହାର ମୃତ୍ୟୁ ହୋଇନଥିଲା। ଚଳିତବର୍ଷ ୧୨ ଜୁଲାଇରେ କରୋନାର ସବୁଠୁ କମ୍‌ ମାମଲା ଦେଖିବାକୁ ମିଳିଥିଲା। ଉକ୍ତ ଦିନ କେବଳ ୪୫ଟି ନୂଆ କେସ୍‌ ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.