ଏଣିକି ଆଉ ରେଲ ଟିକେଟରେ ବରିଷ୍ଠ ନାଗରିକ ପାଇବେନି ରିହାତି, କେନ୍ଦ୍ର ରେଳ ମନ୍ତ୍ରୀ କଲେ ଏମିତି ଘୋଷଣା

ନୂଆଦିଲ୍ଲୀ : ରେଳ ଭଡ଼ରେ ଆଉ ବରିଷ୍ଠ ନାଗରିକମାନେ ରିହାତି ପାଇବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଟିକଟରେ ମିଳୁଥିବା ରିହାତି ବ୍ୟବସ୍ଥା ପରବର୍ତ୍ତି ନିର୍ଦ୍ଦେଶ ଯାଏ ବନ୍ଦ ରହିବ ।

ପ୍ରକାଶଯୋଗ୍ୟ ଯେ ଟ୍ରେନ ଟିକଟରେ ବରିଷ୍ଠ ନାଗରିକଙ୍କ ପାଇଁ ମିଳୁଥିବା ଏହି ରିହାତି ବ୍ୟବସ୍ଥା କୋଭିଡ ପାଇଁ ମାର୍ଚ୍ଚ ୨୦୨୦ ରୁ ବନ୍ଦ ରହିଥିଲା । ରେଳ ବିଭାଗରେ ହେଉଥିବା କ୍ଷତିର ଭରଣା ପାଇଁ ଏହି ବ୍ୟବସ୍ଥାକୁ କୋଭିଡ ପର ଠାରୁ ବନ୍ଦ କରାଯାଇଥିଲା । ଏହି ବ୍ୟବସ୍ଥାକୁ ଏବେ ପରବର୍ତ୍ତି ନିର୍ଦ୍ଦେଶ ଯାଏ ବଳବତ୍ତର ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ରେଳ ବିଭାଗ ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବହୁ ଶ୍ରେଣୀର ବ୍ୟକ୍ତିଙ୍କୁ ରେଳ ଟିକେଟରେ ରିହାତି ଦେଉଥିଲା । ଏବେ ରେଳ ବିଭାଗ କେବଳ ୩ ଶ୍ରେଣୀର ବ୍ୟକ୍ତିଙ୍କୁ ରିହାତି ପ୍ରଦାନ କରୁଛି । ସେ ଭିତରେ ରହିଛି ୪ ଶ୍ରେଣୀର ଦିବ୍ୟାଙ୍ଗ, ଛାତ୍ର ଓ ୧୧ ପ୍ରକାର ରୋଗରେ ପୀଡିତ ଥିବା ବ୍ୟକ୍ତି ବିଶେଷ ।

ଏହି ରିହାତି ଯୋଗୁ ରେଳ ବିଭାଗ ଉପରେ ଅଧିକ ଋଣ ଭାର ପଡ଼ୁଥିଲା :

ଏହି ରିହାତି ଯୋଗୁ ରେଳ ବିଭାଗ ଉପରେ ଅଧିକ ଋଣ ଭାର ପଡ଼ୁଥିଲା ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ମାର୍ଚ୍ଚ ୨୦୨୦ ପରେ ଏହି ରିହାତି ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିଲା ଯାହାପାଇଁ ରେଳ ବିଭାଗ ମାର୍ଚ୍ଚ ୨୦୨୦ ରୁ ମାର୍ଚ୍ଚ ୩୧ ୨୦୨୨ ମଧ୍ୟରେ ୧୫୦୦ କୋଟି ଟଙ୍କା ଆୟ କରିଛି । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ଆରଟିଆଇ ପ୍ରଶ୍ନର ଉତ୍ତର ଦେଇ ଏକଥା ମନ୍ତ୍ରୀ କହିଛନ୍ତି । ଏହି ସମୟ ଭିତରେ ରେଳ ବିଭାଗ ୭.୩୧ କୋଟି ବରିଷ୍ଠ ନାଗରିକଙ୍କୁ ରିହାତି ଦେଇନଥିଲା ।

ପ୍ରକାଶଯୋଗ୍ୟ, ରେଳ ବିଭାଗ ମହିଳା ବରିଷ୍ଠ ନାଗରିକଙ୍କୁ ୫୦ % ଓ ପୁରୁଷ ଏବଂ ତୃତୀୟ ଲିଙ୍ଗିଙ୍କୁ ୪୦ % ରିହାତି ଦେଉଥିଲା । ରେଳ ବିଭାଗର ପ୍ରାୟ ୫୩ ପ୍ରକାର ରିହାତି ପାଇଁ ରେଳ ବିଭାଗ ପ୍ରତିବର୍ଷ ୨୦୦୦ କୋଟି ଟଙ୍କା ହରାଉଥିଲା । ସେଥି ମଧ୍ୟରୁ ବରିଷ୍ଠ ନାଗରିକଙ୍କ ପାଇଁ ମିଳୁଥିବା ରିହାତି ପରିମାଣ ଥିଲା ପ୍ରାୟ ୮୦ ପ୍ରତିଶତ ।

ରିପୋର୍ଟ ଅନୁଯାୟୀ ମୋଟ ୪.୪୧ କୋଟି ବରିଷ୍ଠ ନାଗରିକ ଯାତ୍ରୀଙ୍କ ମଧ୍ୟରୁ ୭.୫୩ ଲକ୍ଷ (୧.୭ %) ଯାତ୍ରୀ ସ୍ୱଇଚ୍ଛାରେ ୫୦ % ରିହାତି ଛାଡିଥିବା ବେଳେ ୧୦.୯ ଲକ୍ଷ (୨.୪୭ %) ଯାତ୍ରୀ ୧୦୦ % ରିହାତି ତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.