ପାଠ ପଢ଼ାଇବା ବ୍ୟତୀତ ଅନ୍ୟ କୌଣସି କାମ କରିବେ ନାହିଁ ଶିକ୍ଷକ; ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପାଠ ପଢ଼ାଇବା ବ୍ୟତୀତ ଅନ୍ୟ କୌଣସି କାମ କରିବେ ନାହିଁ ଶିକ୍ଷକ, ଶିକ୍ଷୟିତ୍ରୀ। କେବଳ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ହିଁ ସେମାନଙ୍କ ପ୍ରାଥମିକତା ରହିବ। ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏପରି ଘୋଷଣା କରିଛନ୍ତି। ଶିକ୍ଷା ବିଭାଗ ସମ୍ବନ୍ଧରେ ଅନେକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା କୌଣସି ବି ନନ୍‌-ଟିଚିଂ କାମ କରାଯିବ ନାହିଁ। ସେମାନେ କେବଳ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ହିଁ କରିବେ।

ଏହା ସହିତ ସିଏମ୍‌ କହିଥିଲେ ଯେ ରାଜ୍ୟ ସରକାର ସ୍କୁଲ ଯାଉଥିବା ଛାତ୍ରୀମାନଙ୍କ ପାଇଁ ସଟଲ୍‌ ବସ୍‌ ସେବା ଆରମ୍ଭ କରିବେ, ଯେପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରପ୍‌-ଆଉଟ୍‌ ହାର ଯାଞ୍ଚ କରାଯାଇ ପାରିବ। ସେପ୍ଟେମ୍ବର ୫ ଗୁରୁ ଦିବସ ଅବସରରେ ଏଠାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେତେକ ଘୋଷଣାନାମା କରିଥିଲେ।

ସିଏମ୍‌ ମାନ କହିଥିଲେ, ପରିବହନ, ଡାଏଟ୍‌, ଇନ୍‌ଫ୍ରାଷ୍ଟ୍ରକ୍ଚର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତାକୁ ନଜରରେ ରଖି ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୂଳ କର୍ତ୍ତବ୍ୟ ରହିବ। ପରିବହନ ସୁବିଧା ଅଭାବରୁ ଛାତ୍ରୀମାନେ ଅଧାରୁ ବିଦ୍ୟାଳୟ ଛାଡ଼ି ଦେଉଛନ୍ତି। ସେମାନଙ୍କ ମଧ୍ୟରେ ଡ୍ରପ୍‌ ଆଉଟ୍‌ ହାର ବହୁତ ଅଧିକ ରହିଛି। ତେଣୁ ଆମେ ଏହି ସମସ୍ୟାକୁ କଡ଼ାକଡ଼ି ଭାବେ ମୁକାବିଲା କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଛାତ୍ରୀଙ୍କୁ ଏହି ସୁବିଧା ଦେବାକୁ ନିଷ୍ପତ୍ତି ନେଇଛୁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ପିଲାମାନଙ୍କୁ ପାଠ ପଢ଼ାଇବା ହିଁ ଶିକ୍ଷକମାନଙ୍କ କାମ ରହିବ। ସେମାନଙ୍କୁ କୌଣସି ଅଣ-ଶୈକ୍ଷିକ ବା ନନ୍‌-ଟିଚିଂ କାମ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ। ସେହିପରି ଡିଜିଟାଲ ଶିକ୍ଷାକୁ ସମୟର ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ, ଏହାକୁ ନେଇ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ହେବା ଜରୁରୀ। ଦିଲ୍ଲୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏ ପ୍ରକାର ନିର୍ଣ୍ଣୟ ଅଧୀନରେ ନୂଆ ଶିକ୍ଷା କୌଶଳ ହାସଲ କରିବା ପାଇଁ ଶିକ୍ଷକମାନଙ୍କୁ ଅକ୍ସଫୋର୍ଡ, ହାର୍ଭାର୍ଡ ଆଦି ବିଶ୍ୱବିଦ୍ୟାଳୟକୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଭଗବନ୍ତ ମାନଙ୍କ କହିବା ହେଲା, ଆମକୁ ପାଠପଢ଼ାର ତରିକାକୁ ଡିଜିଟାଲ କରିବାକୁ ହେବ। କରୋନା ସମୟରେ ଏହା ହୋଇଥିଲା, କିନ୍ତୁ ସେଭଳି ପରିବେଶ ନ ଥିଲା। ଏହା ସ୍କୁଲଗୁଡ଼ିକରେ ହେବା ଉଚିତ୍‌। ଶିକ୍ଷକମାନେ ବି ସେତେବେଳେ ପଢ଼ାଇ ପାରିବେ, ଯେତେବେଳେ ପୂରା ଭିତ୍ତିଭୂମି ଉପଲବ୍ଧ ଥିବ।

ସିଏମ୍‌ ନିଜ ଅନୁଭବକୁ ଶିକ୍ଷକମାନଙ୍କ ସହିତ ସେୟାର କରିଥିଲେ ଏବଂ ସେମାନଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଶିକ୍ଷକମାନଙ୍କୁ ଆନ୍ଦୋଳନର ରାସ୍ତା ଛାଡ଼ିବାକୁ କହିଥିଲେ। ସେମାନଙ୍କୁ ବିଚାର ବିମର୍ଶ ପାଇଁ ଆମନ୍ତ୍ରିତ କରି କହିଥିଲେ କି, ବିଗତ ସରକାର ସମୟରେ ଆପଣା ଯାଇଥିବା ନୀତିଗୁଡ଼ିକ ଅନାବଶ୍ୟକ ବାଧା ସୃଷ୍ଟି କରିଛି। ଆପ୍‌ ସରକାର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛି। ସୂଚନାଥାଉ କି, ଶିକ୍ଷକ ଦିବସ ଅବସରରେ ଆୟୋଜିତ ସମାରୋହରେ ସିଏମ୍‌ ୬୫ ଶିକ୍ଷକ ଏବଂ ୯ ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.