ଅସୁସ୍ଥ ଯାତ୍ରୀଙ୍କୁ ଲାହୋର ବିମାନ ବନ୍ଦରରେ ମିଳିଲାନି ଚିକିତ୍ସା ସୁବିଧା, କାରଣ ସେ ଭାରତୀୟ

ନୂଆଦିଲ୍ଲୀ : ଇସ୍ତାନବୁଲରୁ ଦିଲ୍ଲୀ ଆସୁଥିବା ବିମାନଟିକୁ ରବିବାର ଦିନ ଅଚାନକ ଲାହୋର ଏୟାରପୋର୍ଟରେ ଅବତରଣ କରିବାକୁ ପଡ଼ିଥିଲା । କାରଣ ଏଥିରେ ଯାତ୍ରା କରୁଥିବା ଜଣେ ଭାରତୀୟ ଯାତ୍ରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ଚିକିତ୍ସା ଲାଗି ବିମାନ କର୍ମଚାରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ହେଲେ ଉତ୍ତର ଆସିଲା, ଇମିଗ୍ରେସନ୍‌ ବିଭାଗ ଅନୁମତି ଦେଲା ନାହିଁ । ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା ସୁବିଧା ଦିଆଯାଇ ପାରିବ ନାହିଁ । ଘଟଣାଟି ଏପର୍ଯ୍ୟନ୍ତ ସାର୍ବଜନିକ ହୋଇନଥିଲେ ମଧ୍ୟ ବିମାନରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଫେସବୁକ୍‌ରେ ପ୍ରସଙ୍ଗଟି ଉଲ୍ଲେଖ କରିଛନ୍ତି । ତାଙ୍କ ନାଁ ପଙ୍କଜ ମେହେଟା । ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସମ୍ବୋଧିତ କରି ଜଣାଇଛନ୍ତି । ଅସୁସ୍ଥ ଯାତ୍ରୀ ହେଉଛନ୍ତି ପଙ୍କଜଙ୍କ ବନ୍ଧୁ ବିପିନ ।