ମେଡିସିନ୍‌ରେ ନୋବେଲ ଘୋଷଣା, ପୁରସ୍କାର ପାଇବେ ଭିକ୍ଟର ଏମ୍‌ବ୍ରୋସ୍‌ ଓ ଗେରୀ ରୁଭ୍‌କୁନ

ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ଫିଜିଓଲୋଜି କିମ୍ବା ଚିକିତ୍ସା କ୍ଷେତ୍ର ପାଇଁ ଆଜି ଦୁଇ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଆମେରିକୀୟ ବୈଜ୍ଞାନିକ ଭିକ୍ଟର ଏମ୍‌ବ୍ରୋସ୍‌ ଓ ଗେରୀ ରୁଭ୍‌କୁନଙ୍କୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ ।

microRNAର ଆବିଷ୍କାର ଏବଂ ପୋଷ୍ଟ-ଟ୍ରାନ୍ସକ୍ରିପ୍‌ସନାଲ୍‌ gene regulationରେ ଅତୁଳନୀୟ ଅବଦାନ ପାଇଁ ଉଭୟ ବୈଜ୍ଞାନିକଙ୍କୁ ନୋବେଲ ସମ୍ମାନ ଦିଆଯିବ । ଚଳିତ ବର୍ଷର ଆଓ୍ୱାର୍ଡ ୧୯୦୧ ପରଠାରୁ ଫିଜିଓଲୋଜି କିମ୍ବା ଚିକିତ୍ସା କ୍ଷେତ୍ରରେ ଦିଆଯାଉଥିବା ୧୧୫ତମ ନୋବେଲ ପୁରସ୍କାର ।

ପ୍ରତିବର୍ଷ ପରି ନୋବେଲ ପୁରସ୍କାର କ୍ରମରେ ମେଡିସିନ ପୁରସ୍କାର ପ୍ରଥମ । ନୋବେଲର ବାକି ପାଞ୍ଚଟି ବର୍ଗରେ ବିଜେତାମାନଙ୍କ ନାମ ଆଗାମୀ ଦିନରେ ଘୋଷଣା କରାଯିବ । ସ୍ୱିଡେନର କରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟ ମେଡିକାଲ ୟୁନିଭର୍ସିଟିର ନୋବେଲ ଆସେମ୍ବ୍ଲି ଦ୍ୱାରା ଚିକିତ୍ସା କ୍ଷେତ୍ରରେ ବିଜେତାମାନଙ୍କ ନାମ ଚୟନ କରାଯାଇଥାଏ । ନୋବେଲ ବିଜେତାମାନଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୧ ମିିଲିୟନ ସ୍ୱିଡେନ କ୍ରୋନର (ପାଖାପାଖି ୮,୯୧,୩୮,୮୮୫ ଟଙ୍କା) ଦିଆଯାଇଥାଏ ।

ଭିକ୍ଟର ଏମ୍‌ବ୍ରୋସ୍‌ ୧୯୫୩ ମସିହାରେ ଆମେରିକାର ହାନୋଭରରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଓ୍ୱାରସେଷ୍ଟର ୟୁନିଭର୍ସିଟି ଅଫ୍‌ ମେସାଚୁସେଟ୍ସ ମେଡିକାଲ ସ୍କୁଲରେ ପ୍ରାକୃତିକ ବିଜ୍ଞାନର ସିଲଭରମ୍ୟାନ ପ୍ରଫେସର ରୂପେ କାର୍ଯ୍ୟରତ ।

ସେହିପରି ଗେରୀ ରୁଭକୁନ ୧୯୫୨ରେ ଆମେରିକାର କାର୍ଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ । ୧୯୮୨ରେ ସେ ହାର୍ବାର୍ଡ ୟୁନିଭର୍ସିଟିରୁ ପିଏଚ୍‌ଡି ହାସଲ କରିଥିଲେ । ଏହାପରେ ସେ ୧୯୮୫ରେ ମେସାଚୁସେଟ୍ସ ଜେନେରାଲ ହସ୍ପିଟାଲ ଏବଂ ହାର୍ବାର୍ଡ ମେଡିକାଲ ସ୍କୁଲରେ ପ୍ରିନ୍ସିପାଲ ଇନ୍‌ଭେଷ୍ଟିଗେଟର ଥିଲେ । ବର୍ତ୍ତମାନ ସେଠାରେ ସେ ଜେନେଟିକ୍ସର ପ୍ରଫେସର ରୂପେ କାର୍ଯ୍ୟରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like