କୃଷକ ପଦଯାତ୍ରା ପୂର୍ବରୁ ଦିଲ୍ଲୀରେ ପ୍ରବଳ ଟ୍ରାଫିକ ଜାମ୍, ରାସ୍ତାରେ ଲାଗିଛି ଲମ୍ବା ଲାଇନ
ପୁଣି ରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଚାଷୀ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ କୃଷକ ନିଜ ଦାବି ନେଇ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏଥିଯୋଗୁଁ ନୋଏଡାର ଅଧିକ ଅଞ୍ଚଳରେ ପ୍ରବଳ ଜାମ୍ ଲାଗିଛି । ଏକ୍ସପ୍ରେସ ୱେରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଜାମ୍ ଲାଗି ରହିଛି ।
ଉତ୍ତର ପ୍ରଦେଶର କୃଷକମାନେ ନୋଏଡା ଠାରୁ ଦିଲ୍ଲୀର ସଂସଦ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବା ବେଳେ ପ୍ରବଳ ମାତ୍ରାରେ ଟ୍ରାଫିକ୍ ଜାମ୍ ହୋଇଛି । ପ୍ରବଳ ସୁରକ୍ଷା ନିୟୋଜନ ଏବଂ ପୋଲିସ ବ୍ୟାରିକେଡ୍ ମଧ୍ୟରେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଯାନବାହାନର ଏକ ଲମ୍ବା ଧାଡି ଲାଗିଛି । ନଭେମ୍ବର ୨୭ରେ କୃଷକମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ନଭେମ୍ବର ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ସେମାନେ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସଂସଦ ଅଧିବେଶନ ଚାଲିଥିବା ବେଳେ ଆଜି କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ସୀମାରେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି । ଏଥିପାଇଁ ଦିଲ୍ଲୀରୁ ନୋଏଡା ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଅନେକ ରୁଟ୍ ଡାଇଭର୍ଟ କରାଯାଇଛି । ଏହି ପଦଯାତ୍ରାରେ ଗୌତମ ବୁଦ୍ଧ ନାଗର, ଆଗ୍ରା, ଆଲିଗଡ ଏବଂ ବୁଲନ୍ଦଶାହର ସମେତ ୨୦ଟି ଜିଲ୍ଲାର କୃଷକ ଅଂଶଗ୍ରହଣ କରିବେ। କୃଷକମାନେ ମୁଖ୍ୟତଃ ପାଞ୍ଚଟି ଦାବି ରଖିଛନ୍ତି । ୧୦% ପ୍ଲଟ୍ ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ପ୍ରଭାବିତ ଚାଷୀଙ୍କୁ ଦିଆଯିବା ଉଚିତ୍ ।
ସୂଚନାଯୋଗ୍ୟ, ଗତକାଲି କୃଷକ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ୩ ଘଣ୍ଟା ଧରି ବୈଠକ ଚାଲିଥିଲା, କିନ୍ତୁ ଏହି ବୈଠକରୁ କୌଣସି ଫଳାଫଳ ହାସଲ ହୋଇନପାରିବାରୁ କୃଷକ ମାନେ ପଦଯାତ୍ରା କରିଛନ୍ତି ।