ଡାକ୍ତରାଣୀଙ୍କୁ ୪୮ ଘଣ୍ଟା ‘ଡିଜିଟାଲ ଆରେଷ୍ଟ୍’ କରି ରଖିଲେ ସାଇବର ଠକ, ଅଶ୍ଳୀଳ ଭିଡିଓ ସେୟାରିଂର ଅଭିଯୋଗ ଆଣି ଉଠାଇ ନେଲେ ୫୯ ଲକ୍ଷ ଟଙ୍କା
ନୋଏଡାରେ ବଡ଼ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ସାଇବର ଅପରାଧୀମାନେ ପର୍ଣ୍ଣ ଭିଡିଓ ସେୟାରିଂର ଅଭିଯୋଗ ଆଣି ଡାକ୍ତରାଣୀଙ୍କୁ ୪୮ ଘଣ୍ଟା ଯାଏ ଡିଜିଟାଲ ଆରେଷ୍ଟ୍ କରି ରଖିଥିଲେ । ପରେ ତାଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ପୀଡ଼ିତା ନୋଏଡା ସାଇବର କ୍ରାଇମ୍ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ୪୦ ବର୍ଷୀୟା ଡାକ୍ତରାଣୀ ପୂଜା ଗୋଏଲ୍ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ଜୁଲାଇ ୧୩ରେ ତାଙ୍କୁ ଏକ ମୋବାଇଲ ନମ୍ବରରୁ କଲ୍ ଆସିଥିଲା, ଯେଉଁଥିରେ କୁହାଯାଇଥିଲା କି, ସେମାନେ TRAIରୁ କହୁଛନ୍ତି । ଏହାପରେ ଠକମାନେ ପୂଜାଙ୍କୁ ମୁମ୍ବାଇର ତିଲକ ନଗର ଥାନାର ଜଣେ ଅଧିକାରୀଙ୍କ ସହ ଯୋଡ଼ି ଦେଇଥିଲେ ।
ପୂଜାଙ୍କୁ କୁହାଯାଇଥିଲା ଯେ ତାଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ସେୟାରିଂ ନେଇ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି ଏବଂ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଏକ ଅର୍ଥ ହେରଫେର ମାମଲାରେ ମଧ୍ୟ ନରେଶ ଗୋଏଲ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପୃକ୍ତି ରହିଛି । ଅପରାଧୀମାନେ ଆହୁରି ଭୟ ଦେଖାଇଥିଲେ କି, ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାସହିତ ତାଙ୍କ ଝିଅକୁ ଅପହରଣ କରାଯିବ ବୋଲି ମଧ୍ୟ କହିଥିଲେ ।
ଯଦି ସେ ଏ ସବୁରୁ ବାହାରିବାକୁ ଚାହୁଁଛନ୍ତି, ତେବେ ତାଙ୍କର ସମସ୍ତ ଟଙ୍କାକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ସାଇବର ଅପରାଧୀମାନେ କହିଥିଲେ । ଏହାପରେ ଡାକ୍ତରାଣୀ ଜଣକ ଭୟରେ ୫୯ ଲକ୍ଷ ୫୪ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ପୂଜାଙ୍କ ଏସ୍ବିଆଇ ଆକାଉଣ୍ଟରୁ ୨ ଦିନ ମଧ୍ୟରେ ଅର୍ଥାତ୍ ଜୁଲାଇ ୧୫ ଏବଂ ୧୬ରେ ସମ୍ପୂର୍ଣ୍ଣ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଡାକ୍ତରାଣୀଙ୍କ ଅଭିଯୋଗ ମୁତାବକ, ସାଇବର ଠକମାନେ ୪୮ ଘଣ୍ଟା ଧରି ହ୍ଵାଟସ୍ଆପ ଭିଡିଓ କଲ୍ରେ ରହିବାକୁ ତାଙ୍କୁ ବାଧ୍ୟ କରିଥିଲେ ।