ରାତି ଅଧରେ ଦାମୀ କାରରେ ଆସି ଦୋକାନ ଆଗରୁ ଫୁଲ କୁଣ୍ଡ ଚୋରାଇଲେ ମହିଳା, ଭିଡିଓ ଭାଇରଲ

ଷ୍ଟାଇଲିଶ ଫୁଲକୁଣ୍ଡ ଚୋରଣୀ । ଦାମୀ କାରରେ ଆସି ଫୁଲ କୁଣ୍ଡ ଚୋରି କରିନେଲେ ମହିଳା । ଫୁଲ କୁଣ୍ଡ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ମହିଳା ଜଣଙ୍କ ଗୋଟିଏ BMWରେ ଆସି ଦୋକାନ ବାହାରେ ଥିବା ଫୁଲ କୁଣ୍ଡ ଚୋରି କରିଛନ୍ତି । ଉତ୍ତର ପ୍ରଦେଶର ନୋଏଡାରେ ଏଭଳି ଘଟଣା ଘଟିଛି । ଭିଡିଓ ଭାଇରଲ ହେବା ପରେ ଲୋକ ଟ୍ରୋଲ କରିବାରେ ଲାଗିଛନ୍ତି ।

ଖବର ମୁତାବକ, ନୋଏଡା ସେକ୍ଟର ୧୮ରେ ରାତି ପ୍ରାୟ ୧୨ଟା ପରେ ଜଣେ ମହିଳା ଗୋଟିଏ ନାଲି ରଙ୍ଗର BMW  କାର୍‌ ଧରି ଆସିଥିଲେ । ଜଣେ ଗାଡ଼ି ଚଳାଉଥିବା ବେଳେ ମହିଳା ଜଣଙ୍କ ସେଥିରେ ବସିଥିଲେ । ଗାଡ଼ିଟି ଗୋଟିଏ ଦୋକାନ ସାମ୍ନାରେ ରଖି ମହିଳା ଜଣକ ଏଣେ ତେଣେ ଚାହିଁଥିଲେ । ଏହାପରେ ଗୋଟିଏ ଫୁଲ କୁଣ୍ଡ ଦୋକାନ ଆଗରୁ ଉଠାଇ କାର୍‌ରେ ଭର୍ତ୍ତି କରିଥିଲେ । ମହିଳା ଜଣଙ୍କ ଫୁଲ କୁଣ୍ଡ କାରରେ ରଖିବା ପରେ ରାସ୍ତାରେ ଥିବା କିଛି ଲୋକ ନେବାକୁ ପ୍ରତିବାଦ କରିଥିଲେ ।

ମହିଳା ଜଣଙ୍କ ଏସବୁ ଭିତରେ କାରରେ ବସି ଲୋକଙ୍କ ସହ ଯୁକ୍ତି କରିଥିଲେ । ଏହାପରେ ସେଠାରୁ ଫୁଲ କୁଣ୍ଡ ଧରି ଚାଲି ଯାଇଥିଲେ। ସେ ପ୍ରତିଦିନ ଗୋଟିଏ ଲେଖାଏ ଫୁଲ କୁଣ୍ଡ ନେଉଛନ୍ତି ଆଉ ଆଗକୁ ନେବେ ବୋଲି କହିଥିଲେ । ମହିଳା ଜଣଙ୍କ BMW କାରରେ ଆସି ପୂର୍ବରୁ ଏଠାରୁ ଦୁଇଟି ଫୁଲ କୁଣ୍ଡ ନେଇ ସାରିଥିବା ଭିଡିଓ ଯାଞ୍ଚରୁ ଜଣାପଡିଛି ।

ଘଟଣାର ଭିଡିଓ ଭାଇରଲ ହେବା ପରେ ସମସ୍ତେ ମହିଳାଙ୍କୁ ସମାଲୋଚନା କରିଛନ୍ତି ।  ଘଟଣାଟି ଅକ୍ଟୋବର ୨୫ରେ ଘଟିଥିବା ବେଳେ ଏଯାଏ ପୋଲିସରେ ଏନେଇ କୌଣସି ଅଭିଯୋଗ କରାଯାଇ ନାହିଁ ।

You might also like