ଡାଉନିଙ୍ଗ୍ ଷ୍ଟ୍ରିଟ ଦୀପାବଳି ପାର୍ଟିରେ ପରସାଗଲା ଆମିଷ ଓ ମଦ, ଆପତ୍ତି ଉଠାଇଲେ ବ୍ରିଟିଶ ହିନ୍ଦୁ

ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମରଙ୍କ ତରଫରୁ ଆୟୋଜିତ ଦୀପାବଳି ପାର୍ଟିକୁ ନେଇ ବିବାଦ ଦେଖାଦେଇଛି । କୁହାଯାଉଛି କି, ୧୦ ଡାଉନିଙ୍ଗ୍ ଷ୍ଟ୍ରିଟରେ ଆୟୋଜିତ ଦୀପାବଳି ପାର୍ଟିରେ ଆମିଷ ଓ ମଦ ପରସା ଯାଇଛି, ଯାହାକୁ ନେଇ କିଛି ବ୍ରିଟିଶ ହିନ୍ଦୁ କ୍ରୋଧିତ ଅଛନ୍ତି ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆୟୋଜିତ ଉତ୍ସବରେ ଅନେକ ଶୀର୍ଷ ନେତା ଯୋଗ ଦେଇଥିଲେ । ଏହି ସମୟରେ ଦୀପ ଜଳାଯିବା ସହିତ କୁଚିପୁଡ଼ି ନୃତ୍ୟ ପରିବେଷିତ ହୋଇଥିଲା । ପିଏମ୍ ମଧ୍ୟ ଭାଷଣ ଦେଇଥିଲେ । ତେବେ ଉତ୍ସବରେ ଆମିଷ ଓ ମଦ ପରସା ଯିବାକୁ ନେଇ କିଛି ବ୍ରିଟିଶ ହିନ୍ଦୁ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି ।

ସେମାନେ ଜାଣିବାକୁ ପାଇଛନ୍ତି ଯେ ଡିନର ମେନୁରେ ମଦ ଓ ଆମିଷ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ସେମାନଙ୍କ ଭାବନାକୁ ଆଘାତ ଦେଇଛି ।

ମିଡିଆ ରିପୋର୍ଟ ମୁତାବକ, ଅତିଥିମାନଙ୍କୁ କବାବ, ବିୟର ଓ ୱାଇନ୍ ପରସା ଯାଇଥିଲା । ହିନ୍ଦୁ ସଙ୍ଗଠନ ଇନସାଇଟ୍ ୟୁକେ ଏ ନେଇ ପ୍ରଶ୍ନ ଉଠାଇଛି । ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏହା ଲେଖିଛି, ‘ଦୀପାବଳି କେବଳ ଏକ ଉତ୍ସବ ନୁହେଁ, ଏହାର ଧାର୍ମିକ ଅର୍ଥ ମଧ୍ୟ ରହିଛି । ଦୀପାବଳି ଉତ୍ସବ ପବିତ୍ରତା ଓ ଭକ୍ତି ଉପରେ ପ୍ରାଧାନ୍ୟ ଦେଇଥାଏ । ଏଥିପାଇଁ ପାରମ୍ପରିକ ଭାବେ ଏଥିରେ ଶାକାହାରୀ ଭୋଜନ ପରସା ଯାଇଥାଏ ଏବଂ ମଦ୍ୟପାନ ସମ୍ପୂର୍ଣ୍ଣ ବାରଣ ହୋଇଥାଏ’ ।

ଲେଖିକ ତଥା ଧାର୍ମିକ ବକ୍ତା ପଣ୍ଡିତ ସତୀଶ କେ. ଶର୍ମା କହିଛନ୍ତି, ‘କୌଣସି ସ୍ତରରେ ସମ୍ବେଦନଶୀଳତା ଏବଂ ପରାମର୍ଶର ଅଭାବ ଦେଖିବାକୁ ମିଳୁଛି । ଏହା ବହୁତ ଚିନ୍ତାର ବିଷୟ । ଯଦି ଭୁଲରେ ଏହା ହୋଇଛି, ତା’ ହେଲେ ବି ନୈରାଶ୍ୟଜନକ । ଗତ ୧୪ ବର୍ଷ ଧରି ଏଠାରେ ମଦ, ମାଂସ ବିନା ଦୀପାବଳି ପାର୍ଟି ଆୟୋଜିତ ହୋଇଆସୁଛି’ । ସେପଟେ ଅକ୍ଟୋବର ୨୯ରେ ଆୟୋଜିତ କାର୍ଯ୍ୟକ୍ରମର ମେନୁ ଉପରେ ଡାଉନିଙ୍ଗ୍ ଷ୍ଟ୍ରିଟ୍ କୌଣସି ଟିପ୍ପଣୀ ଦେଇନାହିଁ ।

You might also like