୫ ବର୍ଷ ପରେ ଖୋଲିଲା ପ୍ୟାରିସର ୯୦୦ ବର୍ଷ ପୁରୁଣା ଐତିହାସିକ ଚର୍ଚ୍ଚ, ୨୦୧୯ ଅଗ୍ନିକାଣ୍ଡରେ ହୋଇଯାଇଥିଲା ଛାରଖାର୍
![church2](https://knewsodisha.com/wp-content/uploads/2024/12/church2.jpg)
ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ୯୦୦ ବର୍ଷ ପୁରୁଣା ନାଟ୍ରେ ଡେମ୍ କ୍ୟାଥୋଲିକ୍ ଚର୍ଚ୍ଚ । ଫ୍ରାନ୍ସର ପ୍ୟାରିସରେ ଥିବା ଏହି ଐତିହାସିକ କ୍ୟାଥୋଲିକ୍ ଚର୍ଚ୍ଚ ‘ନାଟ୍ରେ ଡେମ୍ କ୍ୟାଥେଡ୍ରଲ୍’ ନାମରେ ଜଣାଶୁଣା । ୫ ବର୍ଷ ତଳେ ଏହି ଚର୍ଚ୍ଚରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଲାଗିବା କାରଣରୁ ଚର୍ଚ୍ଚରେ ବହୁ ମାତ୍ରାରେ କ୍ଷୟକ୍ଷତି ଘଟିଥିଲା ।
ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ପୁନରୁଦ୍ଧାର ପରେ ଚର୍ଚ୍ଚର ଝଲକ୍ ସର୍ବସମ୍ମୁଖକୁ ଅଣାଯାଇଛି । ଶହ ଶହ ବର୍ଷର ଏହି ପୁରୁଣା କୋଠାର ପୁନଃନିର୍ମାଣରେ ହଜାର ହଜାର ସ୍ଥପତି ଏବଂ କାରିଗର କାର୍ଯ୍ୟ କରିଥିଲେ । ନାଟ୍ରେ ଡେମର ଉଦଘାଟନୀ ଉତ୍ସବରେ ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ସମେତ ବିଭିନ୍ନ ଦେଶର ମୁଖ୍ୟ ତଥା ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ । ଏଥି ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନାଟ୍ରେ ଡେମ୍ କ୍ୟାଥେଡ୍ରାଲର ସଂରକ୍ଷଣ ତଥା ପୁନଃରୁଦ୍ଧାରକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରାୟ ପାଞ୍ଚ ବର୍ଷ ତଳେ ନାଟ୍ରେ ଡେମ୍ କ୍ୟାଥେଡ୍ରାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ୨୦୧୯ ଏପ୍ରିଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଚର୍ଚ୍ଚକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥିଲା । ଦ୍ୱାଦଶ ଶତାବ୍ଦୀର ଗୋଥିକ୍ ଶୈଳୀ କୃତିର ଶିଖର ଖସି ଯାଇଥିଲା । ଏହି ଅଗ୍ନିକାଣ୍ଡ ପଛର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଥିଲା । ନିଆଁକୁ ଲିଭାଇବା ପାଇଁ ପାଖାପାଖି ୪୦୦ ଅଗ୍ନିଶମ କର୍ମଚାରୀଙ୍କୁ ୧୫ ଘଣ୍ଟା କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।
ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ସେହି ବର୍ଷ ୧୮୦୩ ପରଠାରୁ ପ୍ରଥମ ଥର ପାଇଁ ଖ୍ରୀଷ୍ଟମାସ ପାଳନ ହୋଇ ନ ଥିଲା । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏକ ଭାବନାତ୍ମକ ଭାଷଣରେ ପାଞ୍ଚ ବର୍ଷ ମଧ୍ୟରେ କ୍ୟାଥେଡ୍ରଲ୍ ପୁନରୁଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ୨,୦୫୫ ଦିନ ଏବଂ ୮୦୦ ମିଲିୟନ ଡଲାର ବ୍ୟୟ ପରେ ପୁନର୍ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।