ବ୍ରିଟେନ: ଏବେ ସେନା ଡ୍ରାଇଭର ଚଲାଇବେ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର, ସଙ୍କଟରୁ ବାହାରିବା ପାଇଁ ଏମିତି ଘୋଷଣା କଲେ ସରକାର

ବ୍ରିଟେନରେ ଡ୍ରାଇଭରମାନଙ୍କ ଅଭାବ ହେତୁ ପେଟ୍ରୋଲ ପମ୍ପରେ ସପ୍ଲାଏ ଲାଇନ୍‌ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏହି କାରଣରୁ ଦେଶର ଅବସ୍ଥା ବିଗିଡ଼ିବାରେ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟିଶ ସରକାର ବର୍ତ୍ତମାନ ସେନାକୁ ମଇଦାନକୁ ଆଣିବାକୁ ଘୋଷଣା କରିଛନ୍ତି। ସରକାର କହିଛନ୍ତି କି, ସେନାରେ ଟ୍ୟାଙ୍କର ଚଲାଉଥିବା ପାଖାପାଖି ୨୦୦ ଡ୍ରାଇଭରଙ୍କୁ ଦେଶରେ ପେଟ୍ରୋଲ ଟ୍ୟାଙ୍କର ଚଲାଇବା କାମରେ ନିୟୋଜିତ କରାଯିବ। ଏହି ସେନା କର୍ମଚାରୀମାନେ ସୋମବାରଠାରୁ ନିଜର ନୂଆ ଡ୍ୟୁଟି ସମ୍ଭାଳିବେ।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ୱାଲେସ କହିଛନ୍ତି, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି। ଏହାଦ୍ୱାରା ଆମ ସଶସ୍ତ୍ର ବଳ ଉଦ୍ଦ୍ୟୋଗକୁ ଇନ୍ଧନ ଯୋଗାଇବାରେ ସାହାଯ୍ୟ କରି ଦେଶକୁ ପ୍ରଗତି ପଥରେ ଆଗେଇ ନିଆଯିବ।

ଅନେକ ଅଞ୍ଚଳରେ ସ୍ଥିତି ଗମ୍ଭୀର

ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସାମରିକ କର୍ମଚାରୀ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ତାଲିମ ଗ୍ରହଣ କରୁଛନ୍ତି। ସୋମବାରଠାରୁ ସେମାନେ ଇନ୍ଧନ ଯୋଗାଣ କାର୍ଯ୍ୟରେ ସାହାଯ୍ୟ କରିବାକୁ ହାତ ମିଶାଇବେ। ସରକାର ଦାବି କରିଛନ୍ତି କି, ଦେଶରେ ଯୋଗାଣ ବୃଦ୍ଧି କରି ବର୍ତ୍ତମାନ କିଛି ମାତ୍ରାରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଛି। ଯଦିଓ ଦେଶର କିଛି ଭାଗରେ ଏବେ ବି ଚ୍ୟାଲେଞ୍ଜ ରହିଛି।

୧୦ ହଜାର ଡ୍ରାଇଭର ଜରୁରୀ ଆବଶ୍ୟକ

ଏବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ବନ୍ଦ ହୋଇଯାଇଛି। ଏହି କାରଣରୁ ବ୍ରିଟିଶ ସରକାର ଅସ୍ଥାୟୀ ସମାଧାନ ଖୋଜିବାରେ ଲାଗିପଡ଼ିଛନ୍ତି। ପେଟ୍ରୋଲ ଟ୍ୟାଙ୍କର ପରିବହନ ପାଇଁ ତୁରନ୍ତ ବ୍ରିଟେନରେ କାମ ଆରମ୍ଭ କରିବାକୁ ଅନ୍ୟ ଦେଶର ଡ୍ରାଇଭରମାନଙ୍କୁ ସରକାର ଅସ୍ଥାୟୀ ଅନୁମତି ଦେଉଛନ୍ତି | ଏକ ଆକଳନ ଅନୁଯାୟୀ, ବ୍ରିଟେନରେ ପ୍ରାୟ ୧ ଲକ୍ଷ ଡ୍ରାଇଭରଙ୍କ ଆବଶ୍ୟକତା ରହିଛି, ଯେଉଁଥିରୁ ପାଖାପାଖି ୧୦ ହଜାର ଡ୍ରାଇଭର ତୁରନ୍ତ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.