ପଶ୍ଚିମବଙ୍ଗରେ ଏବେ ୫୦୦ ଲୋକଙ୍କୁ ନେଇ ର‍୍ୟାଲି କରିବ ବିଜେପି, ପିଏମ୍‌ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ନିୟମ ଲାଗୁ

କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ବିଜେପି ପଶ୍ଚିମବଙ୍ଗ ନିର୍ବାଚନରେ ଛୋଟ ର‍୍ୟାଲି କରିବାକୁ ବଡ଼ ନିଷ୍ପତ୍ତି ନେଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତିରେ କୁହାଯାଇଛି, କୌଣସି ବି ର‍୍ୟାଲିରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏପରି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କ ଜନସଭାକୁ ନେଇ ମଧ୍ୟ ଏହି ନିୟମ ଲାଗୁ ରହିବ।

ଦଳ ପକ୍ଷରୁ କୁହାଯାଇଛି, ସମସ୍ତ ସଭା ଖୋଲା ସ୍ଥାନରେ ହିଁ ହେବ ଏବଂ ଏହି ସମୟରେ ସୁନିଶ୍ଚିତ କରାଯିବ କି, କରୋନା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉ। ବଙ୍ଗ ନିର୍ବାଚନରେ ଏବେ ସୁଦ୍ଧା ୫ଟି ପର୍ଯ୍ୟାୟରେ ମତଦାନ ହୋଇସାରିଛି, ଆହୁରି ୩ଟି ପର୍ଯ୍ୟାୟ ବାକି ଅଛି। ର‍୍ୟାଲିରେ ଲୋକଙ୍କ ସଂଖ୍ୟା ସୀମିତ କରିବା ସହିତ ବିଜେପି ୬ କୋଟି ମାସ୍କ ଓ ସାନିଟାଇଜର ବାଣ୍ଟିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଏହାଛଡ଼ା ପାର୍ଟି ଦେଶର ସବୁ ରାଜ୍ୟରେ ନିଜ ତରଫରୁ କୋଭିଡ୍‌ ୧୯ ହେଲ୍‌ପ ଡେସ୍କ ଏବଂ ହେଲ୍ପଲାଇନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

କହି ରଖୁଛୁ, ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ନିଜର ସମସ୍ତ ର‍୍ୟାଲିକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ଏହାପରେ ମମତା ବାନାର୍ଜୀ ବି ନିଜ କାର୍ଯ୍ୟକ୍ରମଗୁଡ଼ିକୁ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ସପ୍ତାହରେ ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଦଳ ସହିତ ବୈଠକ କରିଥିଲା ଏବଂ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।