ଏଣିକି ଅଫିସ୍‌ରେ ଅଧ ଘଣ୍ଟା ବିଶ୍ରାମ ନେବେ କର୍ମଚାରୀ! ଏହି ଭାରତୀୟ କମ୍ପାନୀ କଲା ବଡ଼ ଘୋଷଣା

କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବିଶ୍ୱର ବିଭିନ୍ନ କମ୍ପାନୀ ଅଦ୍ଭୁତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। କମ୍ପାନୀଗୁଡ଼ିକ ନିଜ ନୀତି ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ ଆଣୁଛନ୍ତି। ଏଥି ସହିତ କର୍ମଚାରୀମାନଙ୍କ ସୁବିଧା ଉପରେ ବେଶି ଧ୍ୟାନ ରଖୁଛନ୍ତି। ଏମିତି ହିଁ ଭାରତର ଏକ କମ୍ପାନୀ ନିଜର ଷ୍ଟାଫ୍‌ମାନଙ୍କୁ ବଢ଼ିଆ ସୁବିଧା ଆଣି ଦେଇଛି। କମ୍ପାନୀ ନିଆରା ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଷ୍ଟାଫ୍‌ମାନଙ୍କୁ ଡ୍ୟୁଟି ସମୟରେ କିଛି ସମୟ ଶୋଇବାକୁ ଅଫର୍‌ କରିଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହି ସମୟରେ କୌଣସି ବି କର୍ମଚାରୀଙ୍କର ଟଙ୍କାଟିଏ ବି ପଇସା କଟିବ ନାହିଁ।

କର୍ମଚାରୀଙ୍କ ହିତରେ ଏହି ପଦକ୍ଷେପ ଗ୍ରହଣ କରିଥିବା କମ୍ପାନୀର ନାମ ହେଉଛି ‘େଓ୍ଵକ୍‌ଫିଟ ସଲ୍ୟୁସନ (Wakefit Solution)’। ବେଙ୍ଗାଲୁରୁସ୍ଥିତ ଏହି ଭାରତୀୟ ଷ୍ଟାର୍ଟ ଅପ୍‌ କମ୍ପାନୀ ଘୋଷଣା କରିଛି ଯେ ଏବେ ଅଫିସ୍‌ ଆସୁଥିବା କର୍ମଚାରୀ ପ୍ରତିଦିନ ଡ୍ୟୁଟି ସମୟରେ ୩୦ ମିନିଟ୍‌ ଅର୍ଥାତ୍‌ ଅଧ ଘଣ୍ଟା ଶୋଇ ପାରିବେ। ଏ ନେଇ କମ୍ପାନୀ ଏକ ଟାଇମ୍‌ ଟେବୁଲ ମଧ୍ୟ ପ୍ରସ୍ତୁତ କରିଛି।

ମ୍ୟାନେଜମେଣ୍ଟର କହିବା ହେଲା, କମ୍ପାନୀର କର୍ମଚାରୀ ମାନେ ଫିଟ୍‌ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ସେମାନେ ଆହୁରି ଅଧିକ ଉତ୍ସାହର ସହିତ କାମ କରି ପାରିବେ। କମ୍ପାନୀ କହିଛି ଯେ ଏବେ କର୍ମଚାରୀ ମାନେ ଅଫିସ୍‌ରେ ଦୈନିକ ଅଧ ଘଣ୍ଟା ଅର୍ଥାତ୍‌ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ବିଶ୍ରାମ ନେଇ ପାରିବେ। ଏପରି କି, ସେମାନଙ୍କୁ ଅସ୍ଥାୟୀ ରୂପେ ଶୋଇବାକୁ ଦେବା ପାଇଁ କମ୍ପାନୀ ତରଫରୁ ଜାଗାର ବ୍ୟବସ୍ଥା ମଧ୍ୟ କରି ଦିଆଯାଇଛି। ଏହି କମ୍ପାନୀ ସ୍ଲିପ୍‌ ସଲ୍ୟୁସନ ଦେବାର କାମ କରିଥାଏ।

କମ୍ପାନୀର ନିଷ୍ପତ୍ତିରେ କର୍ମଚାରୀ ଖୁସି

କମ୍ପାନୀର ସହ-ସଂସ୍ଥାପକ ଚୈତନ୍ୟ ରାମାଲିଙ୍ଗେଗୌଡ଼ା ଏ ନେଇ ସମସ୍ତ କର୍ମଚାରୀଙ୍କୁ ଇମେଲ୍‌ ଜରିଆରେ ସୂଚନା ପଠାଇ ଦେଇଛନ୍ତି। ଏହା ବିଷୟରେ ସେ କହିଛନ୍ତି ଯେ ନାସା ହାଭାର୍ଡ ୟୁନିଭର୍ସିଟି ଷ୍ଟଡିରେ ଏକ ନୂତନ କଥା ସାମ୍ନାକୁ ଆସିଛି। ପ୍ରତିଦିନ ଦ୍ୱିପ୍ରହର ସମୟରେ ଅଧ ଘଣ୍ଟା ପର୍ଯ୍ୟନ୍ତ ବିଶ୍ରାମ ନେଲେ ଶରୀର ସୁସ୍ଥ ତଥା ସତେଜ ରହିଥାଏ। ଏପରି କି, ଲୋକଙ୍କର ଓ୍ଵାର୍କ ପରଫର୍ମାନ୍ସ ବି ୩୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ ବୋଲି ଅଧ୍ୟୟନରୁ ଖୁଲାସା ହୋଇଛି। ଅନ୍ୟ ପକ୍ଷରେ କମ୍ପାନୀର ଏହି ନିଷ୍ପତ୍ତିରେ କର୍ମଚାରୀମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଏବଂ କାମରେ ଉନ୍ନତିରେ ଆଣିବାରେ ଏହା ଏକ ଭଲ ନିଷ୍ପତ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.